ଟ୍ରମ୍ପଙ୍କ ବଡ ବୟାନ, କହିଲେ ସୁଧୁରି ଯାଅ ନଚେତ୍ ସ୍ଥଳସେନା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି
ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଇରାନ୍-ଇସ୍ରାଏଲ୍, ଆମେରିକା ଯୁଦ୍ଧ । ଯୁଦ୍ଧ କେବେ ଥମିବ ନା ଆହୁରି ବଢ଼ିବ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ସାମ୍ନାକୁ ଆସିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ, କିନ୍ତୁ ସେ ଏହାଠାରୁ ଅଧିକ ସମୟ ପାଇଁ ପ୍ରସ୍ତୁତ ଅଛନ୍ତି । ଯଦି ଆବଶ୍ୟକ ହୁଏ, ସେ ଇରାନକୁ ଆମେରିକୀୟ ସ୍ଥଳସେନା ପଠାଇବାକୁ ଅସ୍ୱୀକାର କରିବେ ନାହିଁ । ସୋମବାର ହ୍ୱାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହା କହିଛନ୍ତି ।

ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ଭାଷଣ ସମୟରେ କହିଥିଲେ ଯେ ଆଜି, ଏହି ଭୟଙ୍କର ଆତଙ୍କବାଦୀ ସରକାରଙ୍କଠୁ ଆମେରିକା ପ୍ରତି ସୃଷ୍ଟି ହୋଇଥିବା ଗମ୍ଭୀର ବିପଦକୁ ଦୂର କରିବା ପାଇଁ ଆମେରିକୀୟ ସେନା ଇରାନରେ ଏକ ବଡ଼ ଧରଣର ଯୁଦ୍ଧ ଅଭିଯାନ ଚଳାଇଛି । ଆତଙ୍କବାଦୀ ସରକାର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା, ଏବଂ ଏହା ଆମେରିକା ଓ ବିଦେଶରେ ନିୟୋଜିତ ଆମର ସେନା ପାଇଁ ଏକ ସ୍ପଷ୍ଟ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଥିଲା । ଏହି ଦ୍ରୁତ ଗତିରେ ବିସ୍ତାରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସେମାନଙ୍କର ପରମାଣୁ ଅସ୍ତ୍ର ବିକାଶକୁ ସୁରକ୍ଷା ଦେବା ଏବଂ ଏହି ଅତ୍ୟନ୍ତ ନିଷିଦ୍ଧ ପରମାଣୁ ଅସ୍ତ୍ର ବିକାଶ କରିବାରୁ ସେମାନଙ୍କୁ ରୋକିବା ଆମ ପାଇଁ ଜରୁରୀ ହୋଇପଡ଼ିଥିଲା ।
ସୋମବାର ଦିନ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ନୂତନ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଯୁଦ୍ଧ ତୀବ୍ରତର ହୋଇଥିଲା । ଇରାନ ଓ ଏହାର ସହଯୋଗୀମାନେ ପରବର୍ତ୍ତୀ ସମୟରେ ଇସ୍ରାଏଲ, ଉପସାଗରୀୟ ଦେଶ, ତୈଳ ଓ ଗ୍ୟାସ ଉତ୍ପାଦନ ସ୍ଥଳ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର ବୃଦ୍ଧି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ହତ୍ୟା ଓ ଏକ ସ୍ପଷ୍ଟ ଯୋଜନାର ଅଭାବ ସୂଚାଇ ଦେଉଛି ଯେ ଯୁଦ୍ଧ ଦୀର୍ଘକାଳୀନ ହୋଇପାରେ ଏବଂ ଏହାର ବ୍ୟାପକ ପରିଣାମ ହୋଇପାରେ ।












Click it and Unblock the Notifications