ଟ୍ରମ୍ପକୁ ଲାଗିବ ବଡ ଝଟକା, ନୂଆ ଦଳ କରିବେ ଏଲୋନ ମସ୍କ୍ !
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଲିୟନେୟାର ଏଲନ୍ ମସ୍କଙ୍କ 'ବ୍ରୋମାନ୍ସ' (ନିବିଡ଼ ସମ୍ପର୍କ)ର ପରିସମାପ୍ତି ସହ ଏହା ଅତିମାତ୍ରାରେ ତିକ୍ତ ହୋଇଉଠିଛି। ଉଭୟ ଟ୍ରମ୍ପ ଓ ମସ୍କ ପରସ୍ପର ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିବାରୁ ଏହା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମସ୍କଙ୍କ ସହ ସରକାରୀ ଚୁକ୍ତି ଛିନ୍ନ କରିବାକୁ ଟ୍ରମ୍ପ ଧମକ ଦେଇଥିବା ବେଳେ ଏକ୍ସ ସିଇଓ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ କହିଛନ୍ତି। ଟ୍ରମ୍ପଙ୍କ ସିଗ୍ନେଚର ଖର୍ଚ୍ଚ ବିଲ୍କୁ ମସ୍କ ସମାଲୋଚନା କରିବାର ଗୋଟିଏ ଦିନ ପରେ ଟ୍ରମ୍ପ ଅଧିକ ଆକ୍ରମଣାତ୍ମକ ହୋଇଉଠିଛନ୍ତି।

ଏପଟେ ଶୁଣିବାକୁ ମିଳୁଛି ଯେ ନୂଆ ଦଳ ଗଢ଼ିପାରନ୍ତି ମସ୍କ। ଆମେରିକାରେ ଏକ ରାଜନୈତିକ ଦଳ ଆବଶ୍ୟକତା ରହିଥିବା କହିଛନ୍ତି ଏଲନ୍ ମସ୍କ । ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ୍ ଆରମ୍ଭ କରିଥିଲେ । ଆମେରିକାରେ ଆଉ ଏକ ରାଜନୈତିକ ଦଳର ଆବଶ୍ୟକତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ମସ୍କ । ୮୦ ପ୍ରତିଶତ ଲୋକ ସମର୍ଥନରେ ଭୋଟ୍ ଦେଇଛନ୍ତି। ଏହା ପରେ ମସ୍କ ଏକ୍ସରେ ଲେଖିଛନ୍ତି ଯେ, ସାଧାରଣ ଜନତା ସେମାନଙ୍କ ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଆବଶ୍ୟକତା ରହିଛି । ଏହା ପରେ ସେ ଏକ ପୋଷ୍ଟରେ 'ଦ ଆମେରିକାନ୍ ପାର୍ଟି' ବୋଲି ଲେଖିଛନ୍ତି।
ସେ ନଥିଲେ ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ ବୋଲି ଖୋଲାଖୋଲି ଭାବେ କହିଥିଲେ ଟେସ୍ଲା ମାଲିକ ଏଲନ୍ ମସ୍କ । ଏକ୍ସରେ ପୋଷ୍ଟ କରି ଲେଖିଥିଲେ, ସେ ନ ଥିଲେ ଟ୍ରମ୍ପ୍ ନିର୍ବାଚନରେ ହାରିଥାନ୍ତେ । ଡେମୋକ୍ରାଟ୍ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ କବ୍ଜା କରିନେଇଥାନ୍ତେ ଏବଂ ସିନେଟରେ ରିପବ୍ଲିକାନ୍ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଏଥିପ୍ରତି ଟ୍ରମ୍ପ କୃତଜ୍ଞ ରହିବା କଥା ବୋଲି କହିଥିଲେ ମସ୍କ ।












Click it and Unblock the Notifications