ଅପରେସନ ସିନ୍ଦୁର ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି.....
ପୁଣି ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାରେ ଆମେରିକାର ଭୂମିକା ଥିବା କଥା କହିଲେ । ଖାଲି ସେତିକି ନୁହେଁ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୫ଟି ଫାଇଟର ପ୍ଲେନ ଧ୍ବସ୍ତ ହୋଇଥିବା ମଧ୍ୟ ଦାବି କରିଛନ୍ତି ଟ୍ରମ୍ପ । ଆମେରିକାର ହସ୍ତକ୍ଷେପ ଯୋଗୁ ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଥିବା ସେ ଦାବି କରିଛନ୍ତି ।
୭ ମେ' ୨୦୨୫ରେ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୁର । ଏଥିରେ ପାକିସ୍ତାନକୁ ଘନ ଘନ ମସାଇଲ ମାଡ଼ କରିଥିଲା ଭାରତ । ରାତି ଅଧରେ ପାକିସ୍ତାନରେ ଦିନ କରିଦେଇଥିଲା ଭାରତ । ମାତ୍ର ୨୫ ମିନିଟରେ ଏହି ଅପରେସନ୍ ସଫଳ ହୋଇଥିବା ବେଳେ ଦୁଇ ରୁ ୩ ଦିନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିଲା । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଇ ୨୫ ମିନିଟ୍ ମଧ୍ୟରେ ଭାରତ ନିଜର ଟାର୍ଗେଟ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଥିଲା ।
ତାପରେ ପାକିସ୍ତାନ ପକ୍ଷରୁ ହଜାର ହଜାର ଡ୍ରୋନ୍ ଛଡ଼ାଯାଇଥିଲା, ଯାହାକୁ ଭାରତ ନଷ୍ଟ କରି ଦେଇଛି । ଏଥିରେ ଭାରତର କିଛି ବି କ୍ଷତି ହୋଇନଥିବା କଥା କୁହାଯାଇଛି । ଏମିତିକି ଭାରତର କିଛି ବି କ୍ଷତି ହୋଇଥିଲେ ପ୍ରମାଣ ଦେଖାଅ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ।
୧୦ ମେ'ରେ ଯୁଦ୍ଧ ବିରାମ ଘୋଷଣା ହୋଇଥିଲା । ଆଉ ସେତେବେଳେ ପ୍ରଥମେ ଟ୍ରମ୍ପ କହିଥିଲେ ଆମେରିକା ହସ୍ତକ୍ଷେପ ଯୋଗୁଁ ଯୁଦ୍ଧ ବିରାମ ହୋଇଛି । କିନ୍ତୁ ଭାରତ ଏହାକୁ ପ୍ରତ୍ୟାକ୍ଷାନ କରିଥିଲା, ଦୁଇ ଦେଶ ମଧ୍ୟରେ ତୃତୀୟ ହସ୍ତକ୍ଷେପକୁ ଭାରତ ଗ୍ରହଣ କରିନଥିଲା । ତାପରେ ପୁଣି ପାକିସ୍ତାନ ପକ୍ଷରୁ ମଧ୍ୟ ଡ୍ରୋନ୍ ଆଟାକ୍ ହୋଇଥିଲା । ମେ' ୧୧ରେ ପୁଣି ତାଙ୍କ ଯୋଗୁଁ ଟ୍ରମ୍ପ ଯୁଦ୍ଧ ବିରାମ ହୋଇଥିବା ଦାବି କରିଥିଲେ ।
ଠିକ୍ ସେମିତ ଏବେ ସେହି ସମାନ ଦାବିକୁ ଦୋହରାଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ବାଣିଜ୍ୟିକ ଭୟ ଦେଖାଇ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା କରିଥିଲେ।
ହ୍ୱାଇଟ ହାଉସରେ କିଛି ରିପବ୍ଲିକାନ ସାଂସଦଙ୍କ ସହ ରାତ୍ରିଭୋଜନ ସମୟରେ ଟ୍ରମ୍ପ ଏହା କହିଥିଲେ। କିନ୍ତୁ ସେ ଏହା ଉଲ୍ଲେଖ କରିନଥିଲେ ଯେ ଆକାଶରେ ହିଁ ଖସାଇ ଦିଆ ଯାଇଥିବା ବିମାନଗୁଡିକ ଭାରତର ନା ପାକିସ୍ତାନର । ଟ୍ରମ୍ପ କହିଛନ୍ତି, "ପ୍ରକୃତରେ ବିମାନଗୁଡିକ ଆକାଶରୁ ଗୁଳି କରି ଖସାଯାଇଥିଲା। ଚାରି କିମ୍ବା ପାଞ୍ଚଟି ବିମାନ ବୋଧ ହୁଏ, କିନ୍ତୁ ମୁଁ ଭାବୁଛି ପାଞ୍ଚଟି ଜେଟ୍ ଖସାଯାଇଥିଲା।"
ସୂଚନାଯୋଗ୍ୟ, ଗତ ମେ ୧୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହେବା ପରେ, ଏୟାର ମାର୍ଶାଲ ଏକେ ଭାରତୀ କହିଥିଲେ ଯେ ଭାରତ ପାକିସ୍ତାନର ଅନେକ "ହାଇ-ଟେକ" ଯୁଦ୍ଧ ବିମାନ ଖସାଇଥିଲା, ଯଦିଓ ସେ କେତେଟା ବିମାନ ଖସା ଯାଇଥିଲା ତାହା ଉଲ୍ଲେଖ କରିନଥିଲେ।













Click it and Unblock the Notifications