ଫ୍ରାନ୍ସ ଉପରେ ୨୦୦% ଟାରିଫ ଲଗାଇଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ଯିଏ ରାଜି ନହେଲା ଟ୍ରମ୍ପ ତାଙ୍କ ବିରୁଦ୍ଧରେ ଟାରିଫକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଆଉ ଏବେ ଏହି ଅସ୍ତ୍ରର ଶିକାର ହୋଇଛି ଫ୍ରାନ୍ସ। ଫ୍ରାନ୍ସରୁ ଆସୁଥିବା ମଦ ଓ ସାମ୍ପେନ ଉପରେ ୨୦୦% ଶୁଳ୍କ ଲଗାଇବାକୁ ଶପଥ ନେଇଛନ୍ତି ଆମେରିକା ରାଷ୍ଟ୍ରପତି। ଆମେରିକା ନେତୃତ୍ୱାଧୀନ ବୋର୍ଡ ଅଫ୍ ପିସ୍ (ଶାନ୍ତି ବୋର୍ଡ)ରେ ଯୋଗ ଦେବାକୁ ଫ୍ରେଞ୍ଚ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମନା କରିଦେବାରୁ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।
ୱାଶିଂଟନ ନେତୃତ୍ୱାଧୀନ ଶାନ୍ତି ବୋର୍ଡର ଗଠନ ଗାଜାରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ପଦକ୍ଷେପ ବୋଲି ଆମେରିକା କହୁଛି। ପର୍ଯ୍ୟାୟକ୍ରମେ ଏହାକୁ ଅନ୍ତର୍ଜାତୀୟ ଦ୍ୱନ୍ଦ୍ୱର ସମାଧାନ ପାଇଁ ଏକ ସଂସ୍ଥା ଭାବେ ଆମେରିକା ଗଢ଼ିପାରେ। ଏହାକୁ ଜାତିସଂଘର ଏକ ବିକଳ୍ପ ରୂପେ ଛିଡ଼ା କରିବା ଆମେରିକାର ଲକ୍ଷ୍ୟ ବୋଲି କୁହାଯାଉଛି। ଯେଉଁଥିରେ କେବଳ ଆମେରିକାର ପ୍ରଭୁତ୍ୱ ରହିବ।

ଏକଥାକୁ ଅନ୍ୟ ଦେଶମାନେ ଜାଣିସାରିବା ପରେ ବୋର୍ଡରେ ସାମିଲ ହେବାକୁ ଅମଙ୍ଗ ପ୍ରକାଶ କରୁଛନ୍ତି। ଭାରତକୁ ମଧ୍ୟ ଏଥିରେ ଯୋଗ ଦେବାକୁ ଆମେରିକା ନିମନ୍ତ୍ରଣ ଦେଇଛି। ହେଲେ ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ। ତେବେ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଫ୍ରାନ୍ସ ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫ୍ରାନ୍ସ ବିଦେଶ ନୀତୀକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଯେଉଁ ଟାରିଫ ଧମକ ଦିଆଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ ଓ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଫ୍ରାନ୍ସ କହିଛି।
ସୋମବାର ସନ୍ଧ୍ୟାରେ ଟ୍ରମ୍ପଙ୍କ ପ୍ରେସ୍ ମିଟ୍ ସମୟରେ ମାକ୍ରୋନ ବୋର୍ଡ ଅଫ୍ ପିସ୍ରେ ଯୋଗ ଦେବେ ନାହିଁ ବୋଲି କହିଥିବା ରିପୋର୍ଟରମାନେ ଟ୍ରମ୍ପଙ୍କୁ ଜଣାଇଥିଲେ। ଏହାର ଜବାବରେ ଟ୍ରମ୍ପ କହିଥିଲେ "ସେ ଏମିତି କହିଛନ୍ତି ? ବେସ୍ ହେଇଛି... ତାଙ୍କୁ କେହି ଚାହୁଁ ନାହାନ୍ତି। କାରଣ ସେ ଖୁବ୍ଶୀଘ୍ର ସରକାରରୁ ବିଦା ହେବେ। ମୁଁ ତାଙ୍କ ମଦ ଓ ସାମ୍ପେନ ଉପରେ ୨୦୦% ଶୁଳ୍କ ଲଗାଇବି। ଏବଂ ସେ ଯୋଗ ଦେବାକୁ ବାଧ୍ୟ ହେବ। କିନ୍ତୁ ତାଙ୍କର ଯୋଗ ଦେବା କିଛି ଆବଶ୍ୟକ ନାହିଁ।"
ସାମ୍ବାଦିକଙ୍କୁ ଏଭଳି ପ୍ରତିକ୍ରିୟା ଦେବା ପରେ ସୋସିଆଲ୍ ମିଡିଆରେ ଟ୍ରମ୍ପ ମାକ୍ରୋନ୍ଙ୍କ ଏକ ବ୍ୟକ୍ତିଗତ ମେସେଜ୍ର ସ୍କ୍ରିନଶଟ୍ ଶେୟାର କରିଛନ୍ତି। ଯେଉଁଥିରେ ମାକ୍ରୋନ ଟ୍ରମ୍ପଙ୍କୁ ଲେଖିଛନ୍ତି ଯେ ସେ ଗୁରୁବାର ୟୁକ୍ରେନ, ଡେନମାର୍କ ଏବଂ ସିରିୟାକୁ ନେଇ ପ୍ୟାରିସ୍ରେ ଏକ ଜି-୭ ବୈଠକ କରିବେ। ଏଥିସହିତ ସେ ଲେଖିଛନ୍ତି "ଚାଲ କିଛି ଭଲ କରିବାକୁ ଚେଷ୍ଟା କରିବା।"












Click it and Unblock the Notifications