ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ
ଇରାନ ପୂର୍ବରୁ କହିଥିଲା ଆମେ ଭେନେଜୁଏଲା ନୁହେଁ ଯେ, ରାତାରାତି ଆସିବ, ଆମ ନେତାଙ୍କୁ ଉଠାଇ ନେବ। ଆମକୁ ହରାଇବାକୁ ହେଲେ ସାରା ବିଶ୍ୱକୁ ମୂଲ୍ୟ ଦେବାକୁ ପଡ଼ିବ। ସତକୁ ସତ ସେଇୟା ହେଲା। ଇରାନ ଯୁଦ୍ଧ ସାରା ବିଶ୍ୱକୁ ମହଙ୍ଗା ପଡ଼ିଲା। ଆଉ ଘଡ଼ିକୁ ଘଡ଼ି ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶେଷରେ ପଛକୁ ହଟିବାକୁ ପଡ଼ିଲା।

ତେହରାନ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି। ଏବଂ କୂଟନୈତୀ ମାଧ୍ୟମରେ ଆଲୋଚନା କରି ଇରାନ ସହ ଲାଗିଥିବା ୪୦ ଦିନର ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ସେପଟେ ଇରାନ ମଧ୍ୟ ଯଦ୍ଧ ବିରାମରେ ରାଜି ହୋଇଛି। ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ ଖୋଲିବାକୁ ସର୍ତ୍ତ ରଖିଛି।
କ'ଣ କହିଲେ ଟ୍ରମ୍ପ?
ସିଜ୍ଫାୟର ଘୋଷଣା କରିବା ସହିତ ଟ୍ରମ୍ପ କହିଛନ୍ତି ଷ୍ଟ୍ରେଟ୍ ଅଫ ହରମୁଜ ଖୋଲିବାକୁ ଇରାନ ୧୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ରଖିଛି। ଏହାକୁ ସ୍ୱୀକାର କରି ଆମେରିକା ଇରାନୀ ସେତୁ(ବ୍ରିଜ୍), ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବ ନାହିଁ।
ତେବେ ମଧ୍ୟପ୍ରାଚ୍ୟରେ ଏକ ଦୀର୍ଘକାଳୀନ ଶାନ୍ତି ସ୍ଥାପନ କରିବା ପାଇଁ ଆମେରିକା-ଇରାନ ମଧ୍ୟରେ ଶୁକ୍ରବାର( ଏପ୍ରିଲ 10) ଏକ ଆଲୋଚନା ହେବ। ପାକିସ୍ତାନର ଇସଲାମାବାଦରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଛି।
ଆକ୍ରମଣ ଜାରି ରଖିବ ଇସ୍ରାଏଲ୍
ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିବା ବେଳେ ଗ୍ରାଉଣ୍ଡରେ ଅନିଶ୍ଚିତତା ଏବଂ ହିଂସା ଜାରି ରହିଛି। ଇରାନ ଯୁଦ୍ଧବିରତି ଢାଞ୍ଚା ଗ୍ରହଣ କରିଥିବା ସୁନିଶ୍ଚିତ କରିଥିବା ବେଳେ, ଉପସାଗରୀୟ ଦେଶଗୁଡ଼ିକରେ ଭୟର ବାତାବରଣ ଏବେ ବି ରହିଛି।
କାଳେ କୌଣସି ମୁହୂର୍ତ୍ତରେ ମିସାଇଲ୍ ମାଡ଼ ହେବ ଏଥିପାଇଁ ଗଲ୍ଫ ଦେଶଗୁଡ଼ିକରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ରହିଛି। ଦେଶଗୁଡ଼ିକ ପୂରା ସତର୍କ ରହିଛନ୍ତି। ସେପଟେ ଇସ୍ରାଏଲ କିନ୍ତୁ ଯୁଦ୍ଧ ଜାରି ରଖିବ ବୋଲି କହିଛି। ଇରାନ ସହ ଯୁଦ୍ଧ ବିରାମ ଘୋଷଣା ହୋଇଥିଲେ ବି ଇସ୍ରାଏଲ ଆକ୍ରମଣ କରିବ ବୋଲି ଏହାର ସେନା ରୋକଠୋକ୍ ଶୁଣାଇ ଦେଇଛି।
ଯୁଦ୍ଧ ବିରାମ ନେଇ କିଏ କ'ଣ କହିଲେ ? ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
୧. ଟ୍ରମ୍ପ ଘୋଷଣା କରି କହିଛନ୍ତି "ଆଜି ରାତିରେ ଇରାନକୁ ପଠାଯାଉଥିବା ବିନାଶକାରୀ ଶକ୍ତିକୁ ମୁଁ ସ୍ଥଗିତ ରଖିଛି, ଆଉ ଯଦି ଇସଲାମିକ ଗଣରାଜ୍ୟ ଇରାନ ହର୍ମୁଜ ଜଳପଥକୁ ସମ୍ପୂର୍ଣ୍ଣ, ତୁରନ୍ତ ଏବଂ ନିରାପଦ ଭାବେ ଖୋଲିବା ପାଇଁ ରାଜି ହେବ, ତେବେ ମୁଁ ଦୁଇ ସପ୍ତାହ ପାଇଁ ଇରାନର ବୋମାମାଡ଼ ଏବଂ ଆକ୍ରମଣକୁ ସ୍ଥଗିତ ରଖିବାକୁ ରାଜି ଅଛି।"
୨. ଇରାନ କହିଛି " ଯଦି ଇରାନ ଉପରେ ଆକ୍ରମଣ ବନ୍ଦ ହେବ ତେବେ ଆମ ଶକ୍ତିଶାଳୀ ସଶସ୍ତ୍ର ସେନା ଏହାର ପ୍ରତିରକ୍ଷା ଅପରେସନ ବନ୍ଦ କରିବ। " ଏଥିସହିତ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ୱାଶିଟଂନର ଅନୁରୋଧକୁ ଇରାନ ବିଚାର କରୁଛି। ଏବଂ ୱାଶିଂଟନ ମଧ୍ୟ ଇରାନର ୧୦-ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ରାଜି ହୋଇଛି।
୩. ତେହେରାନ କହିଛି ଯେ ଦୁଇ ସପ୍ତାହ ପାଇଁ ଷ୍ଟ୍ରେଟ୍ ଅଫ ହରମୁଜରେ ନିରାପଦ ପରିବହନ ହୋଇପାରିବ। ତେବେ ଏଥିପାଇଁ ଇରାନର ସଶସ୍ତ୍ର ବାହିନୀ ସହିତ ସମନ୍ୱୟ ଏବଂ ବୈଷୟିକ ସୀମାବଦ୍ଧତାକୁ ବିଚାର କରାଯାଇ ସୁରକ୍ଷିତ ଜଳପଥ ପରିବହନ ହେବ।
୪. ଇରାନ ଏହାକୁ ତେହେରାନ ପାଇଁ ଏକ ବଡ଼ ବିଜୟ ବୋଲି ଦାବି କରିଛି। ଏହାର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି ଯେ ଟ୍ରମ୍ପ ଶତ୍ରୁତା ସମାପ୍ତ କରିବା ପାଇଁ ଇରାନର ସର୍ତ୍ତଗୁଡ଼ିକୁ ଗ୍ରହଣ କରିଛନ୍ତି। ହେଲେ ହ୍ୱାଇଟ୍ ହାଉସ୍ କହିଛି ଯେ ବାସ୍ତବତା ହେଲା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଶକ୍ତିଶାଳୀ ଆମେରିକୀୟ ସେନା ଇରାନକୁ ହରମୁଜ୍ ଜଳପଥକୁ ପୁନଃ ଖୋଲିବା ପାଇଁ ରାଜି ହେବାକୁ ବାଧ୍ୟ କରିଛନ୍ତି।
୫.କେବଳ ଆମେରିକା ନୁହେଁ, ଇସ୍ରାଏଲ ମଧ୍ୟ ଇରାନ ବିରୁଦ୍ଧରେ ଏହାର ବୋମା ମାଡ଼ ଅଭିଯାନକୁ ସ୍ଥଗିତ ରଖିବାକୁ ରାଜି ହୋଇଛି ବୋଲି ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ତଥାପି, ଇସ୍ରାଏଲୀ ସାମରିକ ଅଧିକାରୀମାନେ କହିଛନ୍ତି ଯେ ଦେଶ ଏବେ ବି ଆକ୍ରମଣ କରୁଛି। ତେବେ ସିଜ୍ଫାୟାର ନେଇ ତେଲ ଅଭିଭରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
୬. ଯୁଦ୍ଧବିରାମ ଯୋଜନା ଘୋଷଣା ହେବା ପରେ ମଧ୍ୟ, ସାଉଦି ଆରବ, ବାହାରିନ ଏବଂ କୁୱେତରେ ମିସାଇଲ୍ ଆଲର୍ଟ ସାଇରନ ବାଜିଛି। କାରଣ ଇରାନ କ୍ଷେପଣାସ୍ତ୍ରକୁ ଇଣ୍ଟରସେପ୍ଟ କରାଯାଇଛି।
୭. ଇରାନର ଦୀର୍ଘକାଳୀନ ଶାନ୍ତି ଯୋଜନାରେ ଓମାନ ସହିତ ସମନ୍ୱୟ ରଖି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ପରିବହନ ଶୁଳ୍କ ଆଦାୟ କରିବା ପ୍ରସ୍ତାବକୁ ସାମିଲ କରାଯାଇଛି। ତେହେରାନ କହିଛି ଯେ ଏହି ରାଜସ୍ୱ ଇରାନର ପୁନଃନିର୍ମାଣ ପାଇଁ ବ୍ୟବହାର କରାଯିବ। ଇରାନ ସର୍ତ୍ତଗୁଡ଼ିକ ମଧ୍ୟରେ ଏହି ଅଞ୍ଚଳରୁ ଆମେରିକୀୟ ଯୁଦ୍ଧ ବାହିନୀ ପ୍ରତ୍ୟାହାର କରିବା, ପ୍ରତିବନ୍ଧକ ହଟାଇବା, ଏବଂ ଏହାର ଫ୍ରିଜ୍ ହୋଇଥିବା ସମ୍ପତ୍ତିକୁ ପୁନଃ ମୁକ୍ତ କରିବା ଆଦି ରହିଛି।
୮. ଯୁଦ୍ଧ ବିରାମ ଘୋଷଣା ପରେ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ତଳକୁ ଖସିଛି। ଏବଂ ଯୁଦ୍ଧବିରତି ଘୋଷଣା ପରେ ଏସୀୟ ବଜାର ଏବଂ ଆମେରିକୀୟ ଷ୍ଟକ୍ ଫ୍ୟୁଚର୍ସ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ ଅଶୋଧିତ ତୈଳର ଫ୍ୟୁଚର୍ସ ୧୩.୩ ପ୍ରତିଶତ ହ୍ରାସ ପାଇ ୯୪.୭୪ ଡଲାର ଏବଂ ଆମେରିକୀୟ ଅଶୋଧିତ ତୈଳ ୧୪.୩ ପ୍ରତିଶତ ହ୍ରାସ ପାଇ ୯୬.୮୩ ଡଲାର ପ୍ରତି ବ୍ୟାରେଲ ହୋଇଛି।
୯. ପାକିସ୍ତାନ ଇରାନ-ଆମେରିକା ଯୁଦ୍ଧବିରାମ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହି ଯୁଦ୍ଧ ବିରାମରେ ଖାଲି ଇରାନ ନୁହେଁ ଲେବାନନ ମଧ୍ୟ ସାମିଲ ରହିଛି। ତେଣୁ ହିଜବୁଲ୍ଲାକୁ ଯୁଦ୍ଧ ବିରାମ ପାଇଁ ଆହ୍ୱାନ ଦିଆଯାଇଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି। ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଶୁକ୍ରବାର ଇରାନ ଏବଂ ଆମେରିକୀୟ ପ୍ରତିନିଧିମଣ୍ଡଳକୁ ଇସଲାମାବାଦରେ ବୈଠକ କରାଇବାକୁ ନିମନ୍ତ୍ରଣ କରାଯାଇଛି ବୋଲି ଶେହବାଜ ସରିଫ ଘୋଷଣା କରିଛନ୍ତି।
୧୦. ଇରାନ ଯୁଦ୍ଧକୁ ୬ ସପ୍ତାହ ପୂରି ଥିବା ବେଳେ ଏଥିରେ ୫ ହଜାର ଜୀବନ ଯାଇଛି। ସେଥିମଧ୍ୟରୁ ଇରାନ ୧୬୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁଏଇ, କତାର, ବାହାରିନ, ଭାରତ, ଆମେରିକା, ଇସ୍ରାଏଲ ଆଦି ଦେଶର ନାଗରିକଙ୍କ ପ୍ରାଣ ବି ଯାଇଛି। ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନୀଙ୍କ ମୃତ୍ୟୁ ବି ହୋଇଛି। ଇରାନର ସୁରକ୍ଷା ମୁଖ୍ୟ ଅଲୀ ରାଲିଜାନୀଙ୍କୁ ବି ହତ୍ୟା କରିଛି ଇସ୍ରାଏଲ୍।












Click it and Unblock the Notifications