Israel-Iran War: ତୃତୀୟ ବିଶ୍ବଯୁଦ୍ଧ କେତେ ଦୂର ? ଯୁଦ୍ଧ ଆଡ଼କୁ ଅଗ୍ରସର ସାରା ବିଶ୍ଵ !
ବିଶ୍ବଯୁଦ୍ଧ କେତେ ଦୂର । ତୃତୀୟ ବିଶ୍ବଯୁଦ୍ଧ ଖୁବଶୀଘ୍ର ହୋଇପାରେ । ଇରାନର ଆକ୍ରମଣ ପରେ ଏବେ ଯୁଦ୍ଧ ଆଡ଼କୁ ଅଗ୍ରସର ସାରା ବିଶ୍ଵ। ଋଷ୍ - ୟୁକ୍ରେନ ଯୁଦ୍ଧ ପରେ ଏବେ ଇରାନ-ଇସ୍ରାଏଲ ଯୁଦ୍ଧ । ଗତକାଲି ରାତିରେ ଏକକାଳୀନ ପ୍ରାୟ ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା ।
ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ 'ଆଇରନ୍ ଡୋମ୍' କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ ଟାରେ ଏହି ଆକ୍ରମଣ ହୋଇଛି । ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି । ହିଜବୁଲ୍ଲା ମୁଖ୍ୟ ହସରତ୍ ନସରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ ଘନ ଘନ ମିସାଇଲ୍ ମାଡ଼ ହୋଇଛି ।

ଇସ୍ରାଏଲ୍ ଆକାଶରେ ଇରାନ ମିଶାଇଲ ଦେଖିଲେ ତୁରନ୍ତ ଖସାଅ। ଆମେରିକା ସେନାକୁ କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଇରାନ୍ ମିଶାଇଲକୁ କାଉଣ୍ଟର କରିବା ସହ ଖସାଇବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାସିଂଟନ୍ ରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ ହୋଇଛି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। ସାମରିକ, ଆର୍ଥିକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ବସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।
ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି। ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି।ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ।ବିନା କାରଣରେ ବାହାରକୁ ନବାହାରିବା, ତାସହ ଯିଏ ଯେଉଁ ସହରରେ ରହିଛନ୍ତି ସେଠୁ ଅନ୍ୟତ୍ର ଚଳପ୍ରଚଳ ନକରିବାକୁ କୁହାଯାଇଛି। କୌଣସି ସମସ୍ୟା ହେଲେ ହେଲପଲାଇନ୍ ଜରିଆରେ ସୂଚନା ଦେବାକୁ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି ହୋଇଛି ।
ନେତାନ୍ୟାହୁ ଆକ୍ସନ୍ ମୋଡରେ
ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନର ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆକ୍ସନ୍ ମୋଡକୁ ଆସିଥିଲେ । ନେତାନ୍ୟାହୁ କହିଛନ୍ତି, ଇରାନ ଏକ ବଡ ଭୁଲ କରିଛି । ଇରାନର ଶକ୍ତିଶାଳୀ ଆକ୍ରମଣ ପରେ ଇସ୍ରାଏଲ ଆକ୍ଟିଭ ମୋଡକୁ ଆସିଥିଲା। ଯିରୁଶାଲମରେ ସୁରକ୍ଷା କ୍ୟାବିନେଟ ବୈଠକ ହୋଇଛି ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବାସ୍ତବରେ, ଇସ୍ରାଏଲ ଦାବି କରିଛି ଯେ ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ଇରାନର କ୍ଷେପଣାସ୍ତ୍ର ବାୟୁରେ ନଷ୍ଟ ହୋଇଯାଇଥିଲା ଏବଂ ଏହି ଆକ୍ରମଣ ଇସ୍ରାଏଲ ପାଇଁ ଅଧିକ କ୍ଷତି କରିନାହିଁ । ଏହି ବିଷୟରେ ଉଲ୍ଲେଖ କରି ନେତାନ୍ୟାହୁ କହିଛନ୍ତି, ମୁଁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯାହାକି ବିଶ୍ୱର ସବୁଠାରୁ ଉନ୍ନତ ଅଟେ । ଏହାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ।
ଯୁଦ୍ଧରେ ଏଣ୍ଟ୍ରି ମାରିଲା ଆମେରିକା
ଏହି ଆକ୍ରମଣରୁ ଆମେରିକା ଓ ବ୍ରିଟେନ ସମେତ ତମାମ ପଶ୍ଚିମ-ରାଷ୍ଟ୍ର ନିନ୍ଦା କରିଛନ୍ତି । ଆମେରିକା ସିଧା ଯୁଦ୍ଧରେ ପ୍ରବେଶ ମଧ୍ୟ କରିଛି । ଇସ୍ରାଏଲ ଅଭିମୁଖେ କ୍ଷେପଣ କରାଯାଇଥିବା ଇରାନର ଯେକୌଣସି କ୍ଷେପଣାସ୍ତ୍ରକୁ ଟାର୍ଗେଟ କରି ଖସାଇ ଦେବାପାଇଁ ଆମେରିକା ସେନାକୁ ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟର ଏକାଧିକ ଦେଶରେ ଥିବା ଆମେରିକାର ସାମରିକ ଆଡ୍ଡାକୁ ହାଇଆଲର୍ଟରେ ରଖାଯିବା ସହ କୌଣସି ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପେଣ୍ଟାଗନ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
ପ୍ରଚଣ୍ଡ ଆକ୍ରମଣ କରିପାରେ ଇସ୍ରାଏଲ
ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଖଣ୍ଡଯୁଦ୍ଧ ଏବେ ପୂର୍ଣ୍ଣଯୁଦ୍ଧରେ ପରିଣତ ହେବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ହେଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଇରାନ ବଡ ଭୁଲ କରିଛି । ଏହାର ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି, ଇରାନର ଏକାଧିକ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନଷ୍ଟ କରାଯାଇଛି । ଦକ୍ଷିଣ-ଇସ୍ରାଏଲରେ କିଛି ରକେଟ ମାଡ ହୋଇଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । କୌଣସି ସମୟରେ, କୌଣସିଠାରେ ଓ କୌଣସି ପ୍ରକାରେ ଆମେ ଏହାର ପ୍ରତିଜବାବ ଦେବୁ । ଅନ୍ୟପଟେ ଆକ୍ରମଣର ପ୍ରତିଜବବାବ ଦେବାକୁ ଇସ୍ରାଏଲ ପ୍ରୟାସ କଲେ ସ୍ଥିତି ଭୟାବହ ହେବ ବୋଲି ଇରାନ ମଧ୍ୟ ଚେତାଇ ଦେଇଛି ।
ଗାଇଡଲାଇନ ଜାରି କଲା ଭାରତ
ସେପଟେ ସ୍ଥିତିକୁ ଦେଖି ଟେଲଆଭିବରେ ଥିବା ଭାରତୀୟ ଦୂତାବାସ ପ୍ରବାସୀ ଭାରତୀୟଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଗାଇଡଲାଇନ ଜାରି କରିଛି । ସୁରକ୍ଷିତ ସ୍ଥାନରେ ରହିବା ସହ ଅନାବଶ୍ୟକ ଭାବେ ବାହରକୁ ନବାହାରିବା ଓ ଯାତ୍ରା ନକରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୌଣସି ସହାୟତା ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ସେଠାରେ ଥିବା ଭାରତୀୟ ନିଜ ଠିକଣା ଓ ଅନ୍ୟ ସୂଚନା ସହ ଦୂତାବାସ ସାଇଟରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ସେଥିପାଇଁ ଏକ ଲିଙ୍କ୍ 'https://forms.gle/ftp3DEXgJwH8XVRdA' ପ୍ରଦାନ କରାଯାଇଛି । ଯୋଗାଯୋଗ କରିବା ପାଇଁ ଦୁଇଟି ଟେଲିଫୋନ ନମ୍ବର +972-547520711 ଓ +972-543278392 ଏବଂ ମେଲ୍-ଆଇଡି- Email: [email protected] ମଧ୍ୟ ପ୍ରଦାନ କରିଛି ଭାରତୀୟ ଦୂତାବାସ । ଆମେରିକା ଇସ୍ରାଏଲକୁ ଯୁଦ୍ଧରେ ସହଯୋଗ କରିବା ସହ ସ୍ଥିତି ଅଧିକ ଜଟିଳ ହେଲେ ଇରାନକୁ ସିଧା ଆକ୍ରମଣ ମଧ୍ୟ କରିପାରେ ।












Click it and Unblock the Notifications