ବନ୍ଦ ହେଲା ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିଲା

ଗାଜାରେ ଲାଗି ରହିଥିବା ଯୁଦ୍ଧର ଅସ୍ତ୍ରବିରତି କ୍ରମରେ ସୋମବାର ହମାସ ଆତଙ୍କବାଦୀ ସଂଗଠନ ନିଜ କବ୍‌ଜାରେ ରଖିଥିବା ୨୦ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର କହିବା ଅନୁଯାୟୀ ମୁକ୍ତ ପଣବନ୍ଦୀମାନେ ଇସ୍ରାଏଲରେ ପହଞ୍ଚିଛନ୍ତି। ଏହି ପଣବନ୍ଦୀ ମୁକ୍ତି ପ୍ରତିବଦଳରେ ଇସ୍ରାଏଲ ୧୯୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଏହି ବନ୍ଦୀ ଅଦଳବଦଳ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଆଇଡିଏଫ୍ କହିଛି ଯେ ସମସ୍ତ ପଣବନ୍ଦୀ ଦେଶକୁ ଫେରିଆସିଛନ୍ତି। ସେମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଅନ୍ୟପଟେ ପ୍ରାଣ ହରାଇଥିବା ୨୮ ପଣବନ୍ଦୀଙ୍କ ମୃତଦେହକୁ ମଧ୍ୟ ହମାସ ଫେରାଇବ। ମାତ୍ର ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ତେବେ ଦୁଇଜଣ ପଣବନ୍ଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଯେଉଁମାନଙ୍କ ସମ୍ପର୍କରେ ସୂଚନା ମିଳି ନାହିଁ ସେମାନେ ହେଲେ ବିପିନ ଜୋଷୀ ଓ ତମିର। ସେମାନେ ଜୀବିତ କିମ୍ବା ମୃତ ତାହା ମଧ୍ୟ ଜଣାପଡି ନାହିଁ। ସେମାନଙ୍କ ସମ୍ପର୍କରେ ଇସ୍ରାଏଲ ଓ ହମାସ ପାଖରେ ସୂଚନା ନାହିଁ।

Middle East

ପଣବନ୍ଦୀ ମୁକ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲର ପାର୍ଲାମେଣ୍ଟ (ନେସେଟ୍‌)କୁ ସମ୍ବୋଧନ କରିଥିଲେ। ଟ୍ରମ୍ପ କହିଥିଲେ ଯେ ଆଜିର ଦିନଟି ବଡ ଆନନ୍ଦର ଦିନ। ଏହା ଏକ ବଡ ଆଶାକୁ ଉଜ୍ଜୀବିତ କରିଛି। ପଣବନ୍ଦୀଙ୍କ ମୁକ୍ତି ସହିତ ଆତଙ୍କବାଦର ଯୁଗ ଶେଷ ହୋଇଛି। ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟ ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଗାଜାରେ ଅସ୍ତ୍ରବିରତି କାର୍ଯ୍ୟକାରୀ କରିଥିବାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟ୍ରମ୍ପ ପ୍ରଶଂସା କରିଥିଲେ। ଭାଷଣ କାଳରେ ନେତାନ୍ୟାହୁଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ସବୁକୁ କ୍ଷମା କରିଦେବା ଲାଗି ଟ୍ରମ୍ପ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗଙ୍କୁ କହିଥିଲେ।

ନେସେଟକୁ ଟ୍ରମ୍ପ ସମ୍ବୋଧନ କରିବା ସମୟରେ ଇସ୍ରାଏଲର ଦୁଇଜଣ ବାମପନ୍ଥୀ ସାଂସଦ ହୋହଲ୍ଲା କରିଥିଲେ। ସାଂସଦ ଦ୍ବୟ ପାଲେଷ୍ଟାଇନ ସପକ୍ଷବାଦୀ ପୋଷ୍ଟର ପ୍ରଦର୍ଶନ କରିଥିଲେ। ତେବେ ଉପସ୍ଥିତ ସୁରକ୍ଷା କର୍ମୀ ସେମାନଙ୍କୁ ସଙ୍ଗେ ସଙ୍ଗେ ପାର୍ଲାମେଣ୍ଟ ବାହାରକୁ ନେଇ ଯାଇଥିଲେ। ବାମପନ୍ଥୀ ସାଂସଦଙ୍କ ଏପରି ହୋହଲ୍ଲାକୁ ନେଇ ବାଚସ୍ପତି କ୍ଷମା ପ୍ରାର୍ଥନା କରିଥିଲେ। ହମାସ ସହିତ ଅସ୍ତ୍ରବିରତି କରାଇବାରେ ଟ୍ରମ୍ପଙ୍କ ଭୂମିକା ପାଇଁ ନେତାନ୍ୟାହୁ ତାଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା ନେଇ ଘୋଷଣା କରିଥିଲେ। ଟ୍ରମ୍ପଙ୍କୁ ଇସ୍ରାଏଲ ପାର୍ଲାମେଣ୍ଟର ସଦସ୍ୟମାନେ ଠିଆ​‌ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ। ନେତାନ୍ୟାହୁ କହିଥିଲେ ଯେ ଇସ୍ରାଏଲ ପାଇଁ ଟ୍ରମ୍ପ ଜଣେ ବଡ ବନ୍ଧୁ। ହ୍ବାଇଟ ହାଉସରେ ଇସ୍ରାଏଲ ଯେତେ ବନ୍ଧୁଙ୍କୁ ପାଇଛି ସେମାନଙ୍କ ମଧ୍ୟରେ ଟ୍ରମ୍ପ ଶ୍ରେଷ୍ଠ। ହମାସ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ଓ କୂଟନୈତିକ ସହଯୋଗ ପାଇଁ ଟ୍ରମ୍ପଙ୍କୁ ନେତାନ୍ୟାହୁ ଧନ୍ୟବାଦ ଜଣାଇଥିଲେ। ଯୁଦ୍ଧର ଅନ୍ତ ଘଟାଇବା ପୂର୍ବକ ଶାନ୍ତି ପ୍ରତିଷ୍ଠାରେ ଟ୍ରମ୍ପ ପ୍ରମୁଖ ଭୂମିକା ନିର୍ବାହ କରିଥିବା ନେତାନ୍ୟାହୁ କହିଛନ୍ତି।

ସେ କହିଛନ୍ତି ଯେ ଏହି ଯୁଦ୍ଧରେ ଆମକୁ ଅନେକ କିଛି ହରାଇବାକୁ ପଡିଛି। ମାତ୍ର ଏହି ଯୁଦ୍ଧରୁ ଆମର ଶତ୍ରୁମାନେ ଜାଣିପାରିଛନ୍ତି ଯେ ଅ​‌ାମେ କେତେ ଶକ୍ତିଶାଳୀ ଓ କେତେକ ପ୍ରତିଶ୍ରୁତିବଦ୍ଧ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ଆଜିର ଅସ୍ତ୍ରବିରତି ସହିତ ପଣବନ୍ଦୀଙ୍କ ମୁକ୍ତିକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି। ମୋଦୀ ତାଙ୍କ 'ଏକ୍ସ' ପୋଷ୍ଟରେ ଲେଖିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଯେଉଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଟ୍ରମ୍ପଙ୍କ ଉଦ୍ୟମକୁ ଆମେ ସମର୍ଥନ କରୁଛୁ।

ଶର୍ମ ଏଲ୍‌-ଶେଖରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ
ଗାଜାରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ସହିତ ଇଜିପ୍ଟର ଶର୍ମ ଏଲ୍‌-ଶେଖରେ ଆନ୍ତର୍ଜାତିକ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତିରେ ଆମେରିକା, ଇଜିପ୍ଟ, କାତାର ଓ ତୁର୍କୀ ସ୍ବାକ୍ଷର କରିଛନ୍ତି। ଆଜିର ସମ୍ମିଳନୀକୁ ସମ୍ବୋଧନ କରି ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତେହ ଅଲ୍‌ ସିସି ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଟ୍ରମ୍ପ ଏକମାତ୍ର ବ୍ୟକ୍ତି ଯିଏ କି ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ କରିପାରିଛନ୍ତି। ମଧ୍ୟପ୍ରାଚ୍ୟରେ ଏକାଧିକ ଯୁଦ୍ଧର ଅବସାନ ଘଟାଇବାରେ ଟ୍ରମ୍ପ ସଫଳ ହୋଇଛନ୍ତି। ଏହାଦ୍ବାରା ବିଶ୍ବରେ ଶାନ୍ତି ସ୍ଥାପନ ହୋଇପାରିଛି। ଆବେଦଲଙ୍କ ଦ୍ବାରା ଆହୁତ ଏହି ଆନ୍ତର୍ଜାତିକ ଶାନ୍ତି ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ବର ୨୦ଟି ରାଷ୍ଟ୍ରର ନେତା ଉପସ୍ଥିତ ରହିଥିଲେ। ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧି ଭାବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗାନ, ବ୍ରିଟେନ ପ୍ରଧାନମନ୍ତ୍ର କୈର ଷ୍ଟାର୍ମର ପ୍ରମୁଖ ଉପସ୍ଥିତ ରହିଥିଲେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା ତାହା ସମଗ୍ର ମଧ୍ୟପ୍ରାଚ୍ୟକୁ ବ୍ୟାପିଥିଲା। ଏହି ଯୁଦ୍ଧରେ ଇରାନ, ଲେବାନନର ହେଜବୋଲ୍ଲା ସଂଗଠନ ଓ ୟେମେନ ସମର୍ଥିତ ହୁତି ସଂଗଠନ ସାମିଲ ହୋଇଥିଲେ। ଏହି ସମସ୍ତ ଯୁଦ୍ଧକୁ ଟ୍ରମ୍ପ ଶେଷ କରିବାରେ ସଫଳ ହୋଇଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧ ଯୋଗୁଁ ଗାଜାରେ ୬୭,୦୦୦ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଏହା ସହିତ ପ୍ରାୟ ୨୦ଲକ୍ଷ ଲୋକ ବାସହରା ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+