ଫଟା ପାହୁଲାଟେ ପାଖରେ ନାହିଁ, ଚୀନ୍କୁ ହାତ ପତାଇଲା ତାଲିବାନ୍
ଚୀନ୍କୁ ହାତ ପତାଇଲା ତାଲିବାନ୍
ଭୁବନେଶ୍ବର: କ'ଣ ତାଲିବାନ୍ ଡ୍ରାଗନ୍କୁ ସେହି ସୁଯୋଗ ପ୍ରଦାନ କରିଛି, ଯାହା ହାତେଇବାକୁ ଦୀର୍ଘ ବର୍ଷ ହେଲା ସ୍ବପ୍ନ ଦେଖିଆସୁଛି ଚୀନ୍? ଆନ୍ତର୍ଜାତିକ ବୁଦ୍ଧିଜୀବୀ ମହଲକୁ ଏହି ଚିନ୍ତା ଏବେ ଗୁରୁତର ସହ ଘାରିଛି। ଏହାର କାରଣ ହେଉଛି, ତାଲିବାନ୍ ଆଫଗାନିସ୍ତାନକୁ ଶାସନ କରିବାକୁ କାବୁଲ୍ରେ ଡେରା ପକାଇଛି, ହେଲେ ଏଥିପାଇଁ ଏହି ଆତଙ୍କି ଦଳ ପାଖରେ ଆର୍ଥିକ ସମ୍ବଳ ନାହିଁ।

ଏଭଳି ପରିସ୍ଥିତିରେ ଚୀନ୍ ଠାରୁ ଆର୍ଥିକ ସହାୟତା ଲୋଡିଛି ତାଲିବାନ୍। ଆନ୍ତର୍ଜାତିକ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହାର ପ୍ରତିବଦଳରେ ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ ଆଫ୍ଗାନ୍କୁ ଚୀନ ଶୋଷିବାରେ ଲାଗିବ। ବିଶେଷ କରି ଆଫଗାନିସ୍ତାନର ଆର୍ଥିକ ଦୁର୍ବଳତା ସୁଯୋଗ ନେଇ ଏହାର ଦୁର୍ଲଭ ଖଣିଜ ପଦାର୍ଥ ହାତେଇବାକୁ ଚେଷ୍ଟା କରିବା ଚୀନ ।
ପାକିସ୍ତାନକୁ ମାଗିଥିଲା ଆର୍ଥିକ ସହାୟତା
ଏଥିପୂର୍ବରୁ ପାକିସ୍ତାନ ଠାରୁ ଆର୍ଥିକ ସହାୟତା ମାଗିଥିଲା ତାଲିବାନ୍। ହେଲେ ଆଗରୁ କାଙ୍ଗାଳ ଥିବା ପାକିସ୍ତାନ ଏଥିପାଇଁ ସ୍ପଷ୍ଟ ମନା କରିବା ବଦଳରେ ଚୀନ୍ ସହ ଦଲାଲି କରିବା ଆରମ୍ଭ କରିଦେଲା। ଆତଙ୍କବାଦୀମାନେ କାବୁଲ୍ରେ ଡେରା ପକାଇବା ପୂର୍ବରୁ ଆଫଗାନିସ୍ତାନର ବ୍ୟାଙ୍କ୍ ଆକାଉଣ୍ଟ୍ ଗୁଡିକୁ ଆମେରିକା ସିଲ୍ କରି ଦେଇଛି। ଦେଶର ସରକାରୀ କର୍ମଚାରୀମାନଙ୍କୁ ଅଫିସ୍ ଆସି କାମ କରିବାକୁ ତାଲିବାନିମାନେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦେଶ ଚଳାଇବା ପାଇଁ ନଗଦ ଅର୍ଥର ଯେ ଆବଶ୍ୟକ ଏକଥା ଯୁଦ୍ଧ ମନୋବୃତ୍ତିରେ ନିମଗ୍ନ ଥିବା ତାଲିବାନୀଙ୍କ ମୁଣ୍ଡରେ ଜୁଟି ନଥିଲା। ସରକାରୀ କର୍ମଚାରୀଙ୍କ ମାସ ଶେଷରେ ନଗଂ ଦରମା ପ୍ରଦାନ କରିବା ନିମନ୍ତେ ମଧ୍ୟ ଅର୍ଥ ଆବଶ୍ୟକ। ଏହି ଭଳି ସଙ୍କଟର ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ପ୍ରସ୍ତୁତ ଚୀନ୍। ଆନ୍ତର୍ଜାତିକ ମାନଚିତ୍ରରେ କାୟା ବିସ୍ତାର କରିବାକୁ ଚାହୁଁଥିବା ଡ୍ରାଗନ୍ ଏହି ପରିସ୍ଥିତିକୁ ଏକ ସୁଯୋଗ ଭାବରେ ପରିଣତ କରିବାକୁ ଚାହୁଁଛି।
ଚୀନ୍କୁ ମାଗିଲା ଆର୍ଥିକ ସହାୟତା
ତାଲିବାନ୍ ପ୍ରବକ୍ତା ସୁହେଲ୍ ସାହିନ୍ ଚୀନ୍ର ଏକ ସରକାରୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛି ଯେ, ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାକୁ ପୁନଃସ୍ଥାପିତ କରିବା ନିମନ୍ତେ ଚୀନ୍ ରଚନାତ୍ମକ ଭୂମିକା ନିର୍ବାହ କରୁଛି ।

ଚୀନ୍ ଏକ ଶକ୍ତିଶାଳୀ ଦେଶ ଏବଂ ଆଫଗାନିସ୍ତାନ ତା'କୁ ଖୋଲା ହୃଦୟରେ ସ୍ବାଗତ କରୁଛି ବୋଲି କହିଛି ସାହିନ୍। ଏଥି ସହ ଆଫଗାନିସ୍ତାନରେ ଆର୍ଥିକ ନିବେଶ କରି ଦେଶର ବିକାଶରେ ଚୀନ୍ ସହାୟକ ହେଉ ବୋଲି ପ୍ରବକ୍ତା ସାହିନ୍ ତା'ର ସାକ୍ଷାତକାରରେ କହିଛି। ଏହାଦ୍ବାରା ଆମେରିକା ଜାରି କରିଥିବା ପ୍ରତିବନ୍ଧକ ଆଫଗାନିସ୍ତାନ ଉପରେ ପଡିବ ନାହିଁ ବୋଲି ଯୁକ୍ତି ବାଢିଛି ସାହିନ୍।












Click it and Unblock the Notifications