ସିରିଆରୁ ଆସିଲା ବଡ ଖବର; ଦେଶ ଛାଡି ପଳାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ରାଷ୍ଟ୍ରପତିଙ୍କ ବିମାନ
ସିରିଆରେ ଘୋର ରାଜନୈତିକ ସଙ୍କଟ ଦେଖାଦେଇଛି। ଏହି ସମୟରେ ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଡାମସକସ ଛାଡ଼ି ପଳାୟନ କରିଛନ୍ତି। ସେମାନେ ବିମାନରେ ଚଢ଼ୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ଗୁଳି କରି ଖସାଇ ଦେଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ରାଡାରରୁ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ସେ ତାଙ୍କ ପରିବାର ସହ ଦେଶ ଛାଡୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
ଗତ ୧୨ ବର୍ଷ ହେବ ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଏବେ ସିରିଆ ବିଦ୍ରୋହୀଙ୍କ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଆଲେପ୍ପୋ ଓ ହୋମ୍ସ ଭଳି ପ୍ରମୁଖ ସହରକୁ ଦଖଲ କରିବା ପରେ ବିଦ୍ରୋହୀମାନେ ରାଜଧାନୀ ଡାମସକସ ଅଭିମୁଖେ ଯାତ୍ରା କରିଥିଲେ। ବିଦ୍ରୋହୀମାନେ ପୂର୍ବଦିନ ଡାମସକସରେ ଆକ୍ରମଣ କରି ରାଷ୍ଟ୍ରପତିଙ୍କୁ ରାଜଧାନୀ ଛାଡ଼ିବାକୁ ବାଧ୍ୟ କରିଥିଲେ। ସେମାନେ ରାଜଧାନୀକୁ କବ୍ଜା କରିଥିବା ଦାବି କରିଛନ୍ତି।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀମାନେ ହୋମ୍ସ ସହରକୁ ଦଖଲ କରିଛନ୍ତି। ହୋମ୍ସରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗାଯାଇଛି। ଲୋକଙ୍କୁ ସୁରକ୍ଷା ଦେବାରେ ସିରିଆ ସେନା ବିଫଳ ହୋଇଛି। ସେପଟେ ସିରିଆକୁ ସମର୍ଥନ କରୁଥିବା ଦେଶ ରୁଷିଆ, ଇରାନ ଓ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ସିରିଆକୁ ସାହାଯ୍ୟ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ସେନା ମଧ୍ୟ ଦେଶରୁ ସ୍ଥାନାନ୍ତରିତ ହେବା ଆରମ୍ଭ କରିଛି।












Click it and Unblock the Notifications