ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ସୁଶୀଳା କାର୍କି
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ସୁଶୀଳା କାର୍କି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନେପାଳ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି। ସୁଶୀଳା ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି। ୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ନ୍ୟାୟିକ ସ୍ଵାଧୀନତା ଓ ସତ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ସୁଶୀଳା ।

ନେପାଳରୁ ଦୁର୍ନୀତିଖୋର, ସତ୍ତାଲୋଭୀ ରାଜନୀତିଜ୍ଞଙ୍କୁ ବାଦ ଦେଇ ନୂଆ ସରକାର ଗଢିବାକୁ ସୁଶୀଳାଙ୍କୁ ଚୟନ କରିଥିଲେ ଯୁବପୀଢି । ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା । ଆନ୍ଦୋଳନକାରଙ୍କ ଉଗ୍ର ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ କାହାକୁ ଦେଶର ମଙ୍ଗ ଦିଆଯିବ ତା' ଉପରେ କିଛି ନିଷ୍ପତ୍ତି ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ମଧ୍ୟରେ ଥିଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ । ହେଲେ ଶେଷରେ ସୁଶୀଳା କାର୍କିଙ୍କ ନାଁରେ ମୋହର ବାଜିଥିଲା। ଆଜି ସେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ।












Click it and Unblock the Notifications