ସୁନୀତା ପୃଥିବୀକୁ ଫେରିବା ବେଳେ ଉପୁଜିଥିଲା ବିପଦ, ୭ ମିନିଟ ପର୍ଯ୍ୟନ୍ତ....
ବର୍ତ୍ତମାନ ସାରା ବିଶ୍ବରେ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା ଚର୍ଚ୍ଚାର ବିଷୟ ହୋଇଛି। ମହାକାଶରୁ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ତଟରେ କ୍ରୁ-୯ ମିଶନର ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍ । ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ ଫେରିଛନ୍ତି ସୁନୀତା । ଭାରତୀୟ ସମୟ ମଙ୍ଗଳବାର ଭୋର ୩ଟା ୨୭ ମିନିଟରେ ଫ୍ଲୋରିଡା ସମୁଦ୍ର ତଟରେ ଅବତରଣ କରିଥିଲେ ସୁନୀତା ଓ ବୁଚ୍ ୱିଲମୋର । ଜାଣିଛନ୍ତି କି ସୁନୀତାଙ୍କ ଫେରିବା ବେଳେ ବିପଦ ଉପୁଜିଥିଲା । ଏମିକି ଏକ ସମୟ ଆସିଥିଲା ନାସା ବୈଜ୍ଞାନିକ ଚିନ୍ତାରେ ପଡି ଯାଇଥିଲେ ।
କୁହାଯାଉଛି ୭ ମିନିଟ୍ ଯାଏ ମହାକାଶଯାନ ଡ୍ରାଗନ୍ କ୍ୟାପସୁଲ ସହ କୌଣସି ସମ୍ପର୍କ ହୋଇପାରି ନଥିଲା। କଳ୍ପନା ଚାୱାଲାଙ୍କ ସମୟରେ ଯାହା ହୋଇଥିଲା ସେମିତି କିଛି ସ୍ଥିତି ସୃଷ୍ଟି ହୋଇଥିଲା ସୁନିତାଙ୍କ ସମୟରେ ମଧ୍ୟ। ହେଲେ ଅନ୍ତରୀକ୍ଷ ଯୁଦ୍ଧରେ ଜିତି ସୁରକ୍ଷିତ ଫେରିଛନ୍ତି ସାହସୀ ସୁନୀତା। ଆଷ୍ଟ୍ରୋନଟଙ୍କୁ ନେଇ ଆସୁଥିବା ଏୟାରକ୍ରାଫ୍ଟ ଯେମିତି ବାୟୁମଣ୍ଡଳରେ ପ୍ରବେଶ କରିଥିଲା ତାପମାତ୍ରା ୧୬୦୦ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ସେହି ସମୟ ଥିଲା ଯେବେ ୭ ମିନିଟ୍ କମ୍ୟୁନିକେସନ ବ୍ଲାକଆଉଟ ହୋଇଥିଲା।
ବ୍ଲାକଆଉଟ ସମୟରେ ଯଦି ତାପମାତ୍ରା ବହୁତ ଅଧିକ ହୁଏ ତେବେ ସ୍ପେସକ୍ରାଫ୍ଟ କ୍ରାଶ ହେବାର ସମ୍ଭାବନା ବଢିଯାଏ । ୨୦୦୩ ଫେବୃଆରୀ ୧ରେ ସ୍ପେସକ୍ରାଫ୍ଟ କଲୋମ୍ବିଆ ଏହି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱାଲାଙ୍କର ମୃତ୍ୟୁ ହୋଇଥିଲା ।

କମ୍ୟୁନିକେସନ ବ୍ଲାକଆଉଟ୍ କଣ ?
ମହାକାଶରୁ ଯେବେ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ତାର ସ୍ପିଡ୍ ଘଣ୍ଟାପ୍ରତି ପାଖାପାଖି ୨୮ ହଜାର କିମି ଥାଏ । ଏହି ସ୍ପିଡରେ ଯେବେ କ୍ୟାପସୁଲ ଖସେ ତେବେ ବାୟୁମଣ୍ଡଳ ସହ ଘର୍ଷଣ ହୋଇଥାଏ । ଏହି ସମୟରେ ତାପମାତ୍ରା ବଢିଯାଏ । ସ୍ପେସକ୍ରାଫ୍ଟର ମିଶନ କଣ୍ଟ୍ରୋଲ ସହ ସମ୍ପର୍କ ତୁଟି ଯାଏ । ଏହାକୁ କମ୍ୟୁନିକେସନ ବ୍ଲାକଆଉଟ୍ କୁହାଯାଏ । ଏହି ଚ୍ୟାଲେଞ୍ଜକୁ ପାର କରି ସୁନୀତାଙ୍କ ସମେତ ୪ ମହାକାଶଚାରୀ ସୁରକ୍ଷିତ ପୃଥିବୀରେ ଲ୍ୟାଣ୍ଡ କରିଛନ୍ତି ।












Click it and Unblock the Notifications