କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ଆସିଛି । ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଛନ୍ତି। ସୋମବାର ରାତିରେ ସେ ତାଙ୍କ ପୋଷ୍ଟରେ କହିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିର ଉପରେ ଜାଣିଶୁଣି ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁସତାପୂର୍ଣ୍ଣ ପ୍ରୟାସ ମଧ୍ୟ ସେତିକି ଭୟଙ୍କର। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ ଯେ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ।
ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ବି ଏହାକୁ ବିରୋଧ କରିଥିଲା , କାନାଡାର ବ୍ରାମ୍ପଟନ୍ରେ ହିନ୍ଦୁ ସଭା ମନ୍ଦିରରେ ଖଲିସ୍ତାନ ଉଗ୍ରପନ୍ଥୀଙ୍କ ଦ୍ୱାରା ହିଂସା ଏବଂ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଉପରେ ଭାରତ ସରକାର ବୟାନ ଜାରି କରିଛନ୍ତି । ଭାରତ ସରକାର ଏହି ଘଟଣାକୁ କଠୋର ଶବ୍ଦରେ ନିନ୍ଦା କରିବା ସହ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟ୍ରୁଡୋ ସରକାରଙ୍କୁ କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ବୟାନ ଜାରି କରି ହିଂସାରେ ସାମିଲ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମୋକଦ୍ଦମା ଚଲାଇବା ଦରକାର ବୋଲି କହିଛନ୍ତି ।

କାନାଡା ଏମ୍ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ମନ୍ଦିର ଆକ୍ରମଣକୁ ନିନ୍ଦା କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନେ ସବୁ ସୀମା ଅତିକ୍ରମ କରିଯାଇଥିବା ସେ କହିଛନ୍ତି। ମନ୍ଦିର ଆକ୍ରମଣକୁ କାନାଡାର ବିରୋଧୀ ଦଳ ନେତା ପିଏରେ ପୋଇଲେଭ୍ରେ, ଟରଣ୍ଟୋ ଏମ୍ପି କେଭିନ୍ ଭୁଓଙ୍ଗଙ୍କ ସମେତ ବହୁ ନେତା ନିନ୍ଦା କରିଛନ୍ତି। ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମ ନେତାମାନେ ବିଫଳ ହୋଇଥିବା ଟରଣ୍ଟୋ ଏମ୍ପି କହିଛନ୍ତି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଚିନ୍ତାଜନକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି। ସୁରକ୍ଷା ପ୍ରଦାନ ପାଇଁ ଭାରତୀୟ କନ୍ସୁଲେଟ୍ ବହୁ ପୂର୍ବରୁ କାନାଡା ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅଣଦେଖା କରିଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି।
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିନ୍ଦା କରିଛନ୍ତି। ହିନ୍ଦୁ ସଭା ମନ୍ଦିରରେ ଯେଉଁ ଆକ୍ରମଣ ଘଟିଲା, ତାହା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକ ସ୍ବାଧୀନ ଏବଂ ସୁରକ୍ଷିତ ଭାବେ ପୂଜାର୍ଚ୍ଚନା କରିବା ଅଧିକାର ରହିଥିବା ଟ୍ରୁଡୋ କହିଛନ୍ତି।












Click it and Unblock the Notifications