ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା
ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି। ଯୁଦ୍ଧ ଯୋଗୁଁ ବିଶ୍ବବ୍ୟାପୀ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ତୈଳ ଯୋଗାଣ ପ୍ରକ୍ରିୟା ଆଗକୁ ଆହୁରି ଜଟିଳ ହେବାକୁ ଯାଉଛି। କାରଣ ଗୁରୁବାର ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନେତା ନିର୍ବାଚିତ ହେବା ପରେ ଗୁରୁବାର ମୋଜତାବା ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ନିଜ ସମ୍ବୋଧନରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଯୁଦ୍ଧକୁ ତୀବ୍ର କରିବାକୁ ଆହ୍ବାନ ଦେଇଛନ୍ତି। ଏପରି କି ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବାକୁ ସେ ନିର୍ଦେଶ ଦେଇଛନ୍ତି। ମୋଜତାବା କହିଛନ୍ତି ଯେ ଇରାନର ପ୍ରତିଟି ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ। ଯୁଦ୍ଧରେ ଇରାନ ଯେଉଁ କ୍ଷତିର ସମ୍ମୁଖୀନ ହୋଇଛି ତା'ର କ୍ଷତିପୂରଣ ଦାବି କରାଯିବ କିମ୍ବା ଶତ୍ରୁ ପକ୍ଷକୁ ସମାନ ପରିମାଣର କ୍ଷତି ପହଞ୍ଚାଯିବ। ମୋଜତାବା କହିଛନ୍ତି ଯେ ପଡୋଶୀ ଉପସାଗରୀୟ ରାଷ୍ଟ୍ରଗୁଡିକରେ ଥିବା ଆମେରିକାର ସାମରିକ ଘାଟିଗୁଡିକ ତୁରନ୍ତ ବନ୍ଦ ହେବା ଦରକାର। ଏଥିପାଇଁ ପଡୋଶୀ ରାଷ୍ଟ୍ରଗୁଡିକୁ ଅନୁରୋଧ କରାଯାଇଛି। ପଡୋଶୀ ରାଷ୍ଟ୍ରରେ ଯଦି ଆମେରିକାର ସେନାଘାଟି ସକ୍ରିୟ ହୁଏ ତେବେ ଏହା ଉପରେ ଆକ୍ରମଣ ନିଶ୍ଚିତ ହେବ।

ଇରାନର ମିନାବ ସ୍କୁଲ ଉପରେ ଇସ୍ରାଏଲ କରିଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ମୋଜତାବା ଧମକ ଦେଇଛନ୍ତି। ମିନାବ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୧୦ ଶିଶୁଙ୍କ ସମେତ ୧୬୮ଜଣଙ୍କର ମୃତ୍ୟୁ ହୋଇଥିଲା। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ବାରା ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି।
ଯୁଦ୍ଧର ତ୍ରୟୋଦଶ ଦିନରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନର ବିଭିନ୍ନ ସାମରିକ ଘାଟି ଏବଂ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ଇରାନ ମଧ୍ୟ ଇସ୍ରାଏଲ ଏବଂ ଆରବ ସାଗରରେ ଥିବା ଆମେରିକୀୟ ଜାହାଜ ଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ସହିତ ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ରଗୁଡିକ ଉପରେ ମଧ୍ୟ ଇରାନ ଜୋରଦାର ଆକ୍ରମଣ କରିଛି। ଇରାକରେ ଥିବା ଇଟାଲୀର ଏକ ସେନା ଘାଟି ଉପରେ ଇରାନ ଆକ୍ରମଣ କରିଛି। ସେହିପରି ଦୁବାଇ, କୁଏତ ଆନ୍ତର୍ଜାତିକ ବିମାନବନ୍ଦର, ସାଉଦି ଆରବ ଉପରେ ଆକ୍ରମଣ କରିଛି। ପାରସ୍ୟ ଉପସାଗରରେ ଜାପାନର ଏକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଇରାନର ଆକ୍ରମଣରେ କୁଏତର ୬ଟି ପାୱାର ଟ୍ରାନ୍ସମିଶନ ନଷ୍ଟ ହୋଇଛି। ସେହିପରି କୁଏତର ଏକ ଆବାସିକ ଅଞ୍ଚଳରେ ହୋଇଥିବା ଡ୍ରୋନ ଆକ୍ରମଣରେ ୨ଜଣ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ଉପରେ ମଧ୍ୟ ଇରାନ ଓ ଏହାର ସହଯୋଗୀ ସଂଗଠନ ହେଜବୋଲ୍ଲା ପକ୍ଷରୁ ୧୫୦ରୁ ଅଧିକ ରକେଟ୍ ମାଡ କରାଯାଇଛି। ବୁଧବାର ଇରାନର ଆକ୍ରମଣରେ ଜଣେ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ଆମେରିକାର ଏକ ତୈଳ ଟ୍ୟାଙ୍କର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବାରୁ ଏଥିରେ କାର୍ଯ୍ୟକରୁଥିବା ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ଇରାକର ବସ୍ରା ନିକଟରେ ଏହି ଆକ୍ରମଣ ହୋଇଛି। ଭାରତୀୟ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ବାଗ୍ଦାଦସ୍ଥିତ ଭାରତୀୟ ଦୂତାବାସ ଗୁରୁବାର ସ୍ପଷ୍ଟ କରିଛି। ଏହି ତୈଳ ଟ୍ୟାଙ୍କରରେ ଥିବା ଅନ୍ୟ ୧୫ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଇରାନର ଆକ୍ରମଣରେ ପାରସ୍ୟ ଉପସାଗରରେ ଯାଉଥିବା ଆଉ ଏକ ତୈଳ ଟ୍ୟାଙ୍କର ଜଳିଯାଇଛି। ବୁଧବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଇସ୍ରାଏଲବାସୀ ଆତଙ୍କିତ ହୋଇ ଯୁଦ୍ଧ ଆଶ୍ରୟସ୍ଥଳକୁ ଚାଲିଯାଇଥିଲେ। ଇସ୍ରାଏଲ ମଧ୍ୟ ତେହରାନ ଓ ବେରୁଟ୍ ଉପରେ ଜୋରଦାର ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣରେ ବେରୁଟସ୍ଥିତ ଇରାନର ଅପରେସନାଲ କମାଣ୍ଡର ଅବୁ ଧର ମହମ୍ମଦଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତ କିଛି ଦିନ ହେବ ସାର୍ବଜନୀନ ଭାବେ ଦେଖାଯାଇ ନାହାନ୍ତି, ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଇରାନ ଗଣମାଧ୍ୟମ ଦାବି କରୁଛି ଯେ ସେ ଏକ ଆକ୍ରମଣରେ ନିହତ ହୋଇଛନ୍ତି, କିନ୍ତୁ ଇସ୍ରାଏଲ ଏହାକୁ ଖଣ୍ଡନ କରିଛି।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ..










Click it and Unblock the Notifications