ଆମେରିକାରରେ ପ୍ରବଳ ତୁଷାର ଝଡ଼, ୯୦୦୦ ବିମାନ ବାତିଲ
ଆମେରିକାର ପୂର୍ବାଞ୍ଚଳରେ ପ୍ରବଳ ତୁଷାର ଝଡ଼ ପ୍ରବାହିତ ହେବାରେ ଲାଗିଛି। ଆଗାମୀ ଦୁଇଦିନ ଏହି ଅବସ୍ଥା ବଳବତ୍ତର ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି। ତୁଷାର ଝଡ଼ ଯୋଗୁଁ ନିଉ ମେକ୍ସିକୋରୁ ନିଉ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହି ପରିପ୍ରେକ୍ଷୀରେ ଆମେରିକାରେ ୯ହଜାର ବିମାନର ଉଡାଣକୁ ବାତିଲ କରାଯାଇଛି। ତୁଷାର ଝଡ଼ ଯୋଗୁଁ ଆମେରିକାର ୧୬ଟି ପ୍ରଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି।

ଶୁକ୍ରବାର ରାତିରେ ଟେକ୍ସାସ ଓ ଓକ୍ଲାହୋମା ପ୍ରଦେଶର ଅଧିକାଂଶ ଅଞ୍ଚଳରେ ତୁଷାରପାତ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆମେରିକାର ଦାକ୍ଷିଣାତ୍ୟରେ ତାଣ୍ଡବଲୀଳା ରଚିବା ପରେ ତୁଷାର ଝଡ଼ ବର୍ତ୍ତମାନ ଊତ୍ତର-ପୂର୍ବ ଦିଗକୁ ଗତି କରୁଛି। ଫଳରେ ଆଗାମୀ ରବିବାର ଓ ସୋମବାର ରାଜଧାନୀ ୱାଶିଂଟନ ସମେତ ନ୍ୟୁୟର୍କ ଓ ବୋଷ୍ଟନରେ ପ୍ରାୟ ୩୦ ସେଣ୍ଟିମିଟର ଉଚ୍ଚତାର ବରଫପାତ ହେବ ବୋଲି ଅନୁମାନ କରାଯାଉଛି। ତୁଷାର ଝଡ଼ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପଡିଥିବାବେଳେ ବାସଗୃହ, ଯାନବାହନ ଉପରେ ବରଫ ଆସ୍ତରଣ ଜମିଥିବା ଲକ୍ଷ୍ୟ କରାଯାଇଛି।
ନର୍ଥ ଡାକୋଟା ଏବଂ ବିସ୍ମାର୍କ ଭଳି କେତେକ ସହରର ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାର୍କେଟରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଆମେରିକାରେ ବର୍ତ୍ତମାନ ତୁଷାର ଝଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ୩୦ଟି ଉଦ୍ଧାରକାରୀ ଦଳକୁ ସଜାଗ ରହିଥିବାବେଳେ ୭୦ ଲକ୍ଷ ମିଲ୍ (ଖାଦ୍ୟ ପ୍ୟାକେଟ), ୬ ଲକ୍ଷ କମ୍ବଳ, ୩୦୦ ଜେନେରେଟର ପ୍ରସ୍ତୁତ ରଖାଯାଇଛି।












Click it and Unblock the Notifications