ୟୁକ୍ରେନକୁ ଚେତାବନୀ ଦେଲେ ପୁଟିନ୍ , ବଢିଲା ତୃତୀୟ ବିଶ୍ୱଯୁଦ୍ଧ ଭୟ
ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୧୦୦୦ତମ ଦିନ ପୂରଣ ହୋଇଛି। ଏହି ସମୟ ସୁଦ୍ଧା ରୁଷ୍ ପକ୍ଷରୁ ହୋଇଥିବା ଆକ୍ରମଣରେ ସମ୍ପୂର୍ଣ୍ଣ ୟୁକ୍ରେନ୍ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି। ଏହାସତ୍ତ୍ୱେ ୟୁକ୍ରେନ୍ ଅସ୍ତ୍ରତ୍ୟାଗ କରିନାହିଁ କିମ୍ବା ରୁଷ୍ ସମ୍ମୁଖରେ ମୁଣ୍ଡ ନୂଆଇଁନାହିଁ। ଓଲଟା ନିଜ ସାମର୍ଥ୍ୟ ମୁତାବକ ୟୁକ୍ରେନ୍ ସେନା ଏପରିକି ସାଧାରଣ ନାଗରିକମାନେ ମଧ୍ୟ ରୁଷ୍ର ଦୁର୍ଦ୍ଦଶ ସେନା ସମ୍ମୁଖରେ ଲଢ଼େଇ ଜାରି ରଖିଛନ୍ତି, ସୁଯୋଗ ଦେଖି ରୁଷ୍ ଉପରେ ଛୋଟମୋଟର ପ୍ରତିଆକ୍ରମଣ ମଧ୍ୟ କରୁଛନ୍ତି।
କିନ୍ତୁ ୧୦୦୦ ଦିନର ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ପକ୍ଷରୁ ଆଜି (ମଙ୍ଗଳବାର) ରୁଷ୍ ମାଟିରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନ୍ ସେନା ପ୍ରଥମ ଥର ପାଇଁ ଆମେରିକା ନିର୍ମିତ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଟିଏସିଏମ୍ଏସ୍ ମିସାଇଲ) ଜରିଆରେ ରୁଷ୍ ଉପରେ ଆକ୍ରମଣ କରିଛନ୍ତି। ତେବେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଆଜିର ଏହି ଆକ୍ରମଣରେ ରୁଷ୍ର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନାହିଁ।

ଅନ୍ୟପକ୍ଷେ ପୂର୍ବରୁ ରୁଷ୍ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର ନ କରିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା । ତେବେ ୟୁକ୍ରେନ ଏହାକୁ ଭୃକ୍ଷେପ ନକରି ଏବେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିଥିବାରୁ ଏହା ଯୁଦ୍ଧର ନିଆଁକୁ ଆହୁରି ଉଗ୍ର ରୂପ ଦେଇଛି । ଋଷ ତା'ର ଯୁଦ୍ଧନୀତିର ପରିବର୍ତ୍ତନ ଆଣି ନିଜର ମହାଶକ୍ତିଶାଳୀ ହାଇପରସୋନିକ ଓ ସୁପରସୋନିକ୍ ରେଞ୍ଜର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ୱ ନେତୃବୃନ୍ଦ ପଦକ୍ଷେପ ଗ୍ରହଣ ନକଲେ ସମଗ୍ର ବିଶ୍ୱ ଭୟାନକ ବିପତ୍ତିର ସମ୍ମୁଖୀନ ହେବ ବୋଲି ସାମରିକ କୂଟନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ ,ଯୁଦ୍ଧନୀତି ବଦଳାଇଲେ ପୁଟିନ। ଋଷ୍ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେବାର ଦୁଇ ଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦକ୍ଷେପ ପୂରା ବିଶ୍ବର ବିପଦ ବଢ଼ାଇ ଦେଇଛି।
ୠଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷ୍ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି।












Click it and Unblock the Notifications