ଭାରତକୁ ଅଫର ଦେଲେ ପୁଟିନ୍, ଆମେରିକା ବଜାରର ଦ୍ବାର ବନ୍ଦ ହେଲେ ଆମେ ଅଛୁ
ଅଧିକ ଶୁଳ୍କ ପାଇଁ ଆମେରିକା ବଜାରର ଦ୍ବାର ବନ୍ଦ ହେଲେ ଆମେ ଅଛୁ। ଆମେରିକା ତୁଳନାରେ କମ ଶୁଳ୍କରେ ଆମେ ଜିନିଷ ନେବାକୁ ପ୍ରସ୍ତୁତ। ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏବେ ରୁଷ ଭାରତକୁ ଏହି ବଡ଼ ପ୍ରସ୍ତାବ ଦେଇଛି। ରୁଷ କହିଛି ଯେ, ଯଦି ଶୁଳ୍କ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ ହୋଇଯାଏ, ତେବେ ରୁଷ ବଜାର ସର୍ବଦା ଭାରତୀୟ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଜାତୀୟ ରାଜଧାନୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଷର ଡେପୁଟି ଚିଫ ଅଫ ମିସନ ରୋମାନ ବାବୁଶକିନ କହିଛନ୍ତି ରୁଷ ଠାରୁ ଅଶୋଧିତ ତୈଳ କିଣୁଥିବାରୁ ଭାରତ ଉପରେ ଆମେରିକା ଚାପ ସୃଷ୍ଟି କରିବା ସଂପୂର୍ଣ୍ଣ ଭାବେ ଏକତରକଫା ଓ ଅନୁଚିତ।
ଯଦି ଭାରତୀୟ ଦ୍ରବ୍ୟଗୁଡ଼ିକ ଆମେରିକା ବଜାରରେ ପ୍ରବେଶ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା'ହେଲେ ରୁଷ ବଜାର ଭାରତୀୟ ରପ୍ତାନୀକୁ ସ୍ୱାଗତ କରିବ। କଟକଣା ସେମାନଙ୍କୁ ଆଘାତ ଦେଉଛି, ଯେଉଁମାନେ ଏହାକୁ ଲାଗୁ କରୁଛନ୍ତି। ଭାରତ ପାଇଁ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ। କିନ୍ତୁ ଆମ ଭିତରେ ଥିବା ବନ୍ଧୁତା ଉପରେ ଆମର ବିଶ୍ୱାସ ରହିଛି। ବାହ୍ୟ ଚାପ ସତ୍ତ୍ୱେ ଭାରତ-ରୁଷ ଶକ୍ତି କ୍ଷେତ୍ରର ସହଭାଗିତା ବଳବତ୍ତର ରହିବ।

ଭାରତକୁ ରୁଷ ଠାରୁ ସର୍ବାଧିକ ଅଶୋଧିତ ତୈଳ ଯୋଗାଣ କରାଯାଉଛି। ଭାରତର ଚାହିଦା ମଧ୍ୟ ବର୍ଷକୁ ବର୍ଷ ବଢ଼ି ଚାଲିଛି। ନିଃସନ୍ଦେହ ଭାବେ ଏହା ଆମର ଅର୍ଥବ୍ୟବସ୍ଥା ମଧ୍ୟରେ ଥିବା ଆପୋଷ ସାମଞ୍ଜସ୍ୟର ଏକ ଉଦାହରଣ। ଆମେ ପୂରା ନିଶ୍ଚିତ ଯେ ଆମ ଭିତରେ ଥିବା ଭାଗିଦାରୀ ବଳବତ୍ତର ରହିବ ବୋଲି ସେ କହିଛନ୍ତି।
ଏହି ବୟାନର ଦିନକ ପୂର୍ବରୁ ଆମେରିକା ହ୍ୱାଇଟ ହାଉସର ପ୍ରେସ ସଚିବ କାରୋଲିନେ ଲେଭିଟ୍ଟ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷ ଉପରେ ଚାପ ପକାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ ଲଗାଇଥିଲେ। ପ୍ରଥମେ ୨୫% ଓ ପରେ ୨୫% ଟାରିଫ ଭାରତ ଉପରେ ଲଗାଇ ରୁଷ ଉପରେ ଚାପ ସୃଷ୍ଟି କରାଯାଇଥିବା ବୋଲି ସେ କହିଥିଲେ।












Click it and Unblock the Notifications