ଋଷ ୟୁକ୍ରେନ ଯୁଦ୍ଧକୁ ପୁରିଲା ହଜାରେ ଦିନ; ୟୁକ୍ରେନକୁ ପରମାଣୁ ଚେତାବନୀ ଦେଲା ଋଷ
ୟୁକ୍ରେନ-ରୁଷିଆ ଯୁଦ୍ଧର ୧୦୦୦ ଦିନ ଆଜି ପୂରିଛି ଏବଂ ଏହା ସହ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନର ଦୁଇ ଦିନ ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଆମେରିକାର ଶକ୍ତିଶାଳୀ 'ଏଟିଏସିଏମ୍ଏସ୍' ଦୂରଗାମୀ କ୍ଷେପଣାସ୍ତ୍ର ୟୁକ୍ରେନ ବ୍ୟବହାର କରିଥିବା ବେଳେ ରୁଷ୍ ଏହାକୁ ଅତି ଗମ୍ଭୀରତାର ସହ ନେଇଛି । ରୁଷୀୟ ସେନାର ମୁଖ୍ୟ କ୍ଷେପଣାସ୍ତ୍ର ଏବଂ ଆର୍ଟିଲାରି ନିର୍ଦ୍ଦେଶାଳୟର ସାମରିକ ଘାଟିକୁ ଟାର୍ଗେଟ କରି ଆମେରିକା ନିର୍ମିତ କ୍ଷେପଣାସ୍ତ୍ରରେ ୟୁକ୍ରେନ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ରୁଷ୍ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର ନ କରିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା । ତେବେ ୟୁକ୍ରେନ ଏହାକୁ ଭୃକ୍ଷେପ ନକରି ଏବେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିଥିବାରୁ ଏହା ଯୁଦ୍ଧର ନିଆଁକୁ ଆହୁରି ଉଗ୍ର ରୂପ ଦେଇଛି । ଋଷ ତା'ର ଯୁଦ୍ଧନୀତିର ପରିବର୍ତ୍ତନ ଆଣି ନିଜର ମହାଶକ୍ତିଶାଳୀ ହାଇପରସୋନିକ ଓ ସୁପରସୋନିକ୍ ରେଞ୍ଜର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ୱ ନେତୃବୃନ୍ଦ ପଦକ୍ଷେପ ଗ୍ରହଣ ନକଲେ ସମଗ୍ର ବିଶ୍ୱ ଭୟାନକ ବିପତ୍ତିର ସମ୍ମୁଖୀନ ହେବ ବୋଲି ସାମରିକ କୂଟନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ ,ଯୁଦ୍ଧନୀତି ବଦଳାଇଲେ ପୁଟିନ। ଋଷ୍ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେବାର ଦୁଇ ଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦକ୍ଷେପ ପୂରା ବିଶ୍ବର ବିପଦ ବଢ଼ାଇ ଦେଇଛି। ୠଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷ୍ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି।
ଆଗକୁ ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ୱ ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପଦକ୍ଷେପ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି। ବାଇଡେନଙ୍କ ଏଭଳି ନିଷ୍ପତ୍ତିରେ ୟୁରୋପୀୟ ରାଷ୍ଟ୍ରମାନେ ଆତଙ୍କିତ ହୋଇ ରହିଛନ୍ତି।












Click it and Unblock the Notifications