୨୦ ବର୍ଷ କୋମାରେ ରହିବା ପରେ ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସଙ୍କ' ପରଲୋକ
ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସ' ପ୍ରିନ୍ସ ଅଲୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କର ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ୨୦୦୫ ମସିହାରେ ଲଣ୍ଡନରେ ଏକ କାର ଦୁର୍ଘଟଣା ପରେ ସେ ୨୦ ବର୍ଷ କୋମାରେ ରହିଥିଲେ। ୨୦୦୫ ମସିହାରେ ମାତ୍ର ୧୫ବର୍ଷ ବୟସରେ ଏକ ଭୟଙ୍କର ଦୁର୍ଘଟଣାରେ ରାଜକୁମାରଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। 'ସ୍ଲିପିଂ ପ୍ରିନ୍ସ'' ଭାବରେ ଜଣାଶୁଣା, ସୌଦଙ୍କୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେ କେବେ ବି ସମ୍ପୂର୍ଣ୍ଣ ଚେତା ପାଇପାରି ନଥିଲେ।
ରାଜକୁମାର ଅଲୱାଲିଦ ସାଉଦି ରାଜପରିବାରର ଜଣେ ବରିଷ୍ଠ ସଦସ୍ୟ ପ୍ରିନ୍ସ ଖାଲିଦ ବିନ୍ ତଲାଲଙ୍କ ପୁଅ ଏବଂ କୋଟିପତି ପ୍ରିନ୍ସ ଅଲୱାଲିଦ ବିନ୍ ତଲାଲଙ୍କ ଭଣଜା ଥିଲେ । ପ୍ରିନ୍ସ ଖାଲିଦ ବିନ୍ ତଲାଲ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ, ତାଙ୍କ ପୁଅ ପ୍ରିନ୍ସ ଅଲୱାଲିଦ ୨୦୦୫ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ସେତେବେଳେ ରାଜକୁମାର ୧୫ ବର୍ଷ ବୟସର ଥିଲେ ଏବଂ ରୟାଲ ମିଲିଟାରୀ ଏକାଡେମୀରେ ପାଠ ପଢ଼ୁଥିଲେ । କାର ଦୁର୍ଘଟଣାରେ ରାଜକୁମାରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ କୋମାକୁ ଚାଲିଯାଇଥିଲେ । ରାଜକୁମାରଙ୍କ ଚିକିତ୍ସା ପାଇଁ ଆମେରିକା ଏବଂ ସ୍ପେନରୁ ଡାକ୍ତରଙ୍କୁ ଡକାଯାଇଥିଲା, କିନ୍ତୁ ରାଜକୁମାରଙ୍କ ଚେତା ଫେରି ନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରିନ୍ସ ଗତ ୨୦ ବର୍ଷ ଧରି ଭେଣ୍ଟିଲେଟରରେ ଥିଲେ । ତାଙ୍କୁ ରିୟାଦର କିଙ୍ଗ ଅବଦୁଲ ଅଜିଜ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଏବଂ ନର୍ସମାନେ ତାଙ୍କ ସ୍ୱତନ୍ତ୍ର କୋଠରୀରେ ୨୪ ଘଣ୍ଟା ଉପସ୍ଥିତ ଥିଲେ । ଡାକ୍ତରମାନେ ପ୍ରିନ୍ସଙ୍କୁ ଅଚେତ ରୋଗୀ ଘୋଷଣା କରିଥିଲେ ଏବଂ ପରିବାରକୁ ଭେଣ୍ଟିଲେଟର ସିଷ୍ଟମ ହଟାଇବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ପରିବାର ପ୍ରିନ୍ସଙ୍କ ଚେତା ଫେରିବା ଆଶା ଛାଡି ନଥିଲେ । ରାଜକୁମାରଙ୍କ ମୃତ୍ୟୁରେ ସାରା ବିଶ୍ୱର ଲୋକମାନେ ଶୋକ ପ୍ରକାଶ କରୁଛନ୍ତି। ରାଜକୁମାରଙ୍କ ଅନ୍ତିମ ସଂସ୍କାର ପାଇଁ ରାଜପରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛି।












Click it and Unblock the Notifications