ଆରବୀ ଭାଷାରେ ରାମାୟଣ ଓ ମହାଭାରତ, ଅନୁବାଦକ ଏବଂ ପ୍ରକାଶକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ରାମାୟଣ ଓ ମହାଭାରତର ଆରବୀ ଅନୁବାଦକ ଏବଂ ପ୍ରକାଶକଙ୍କୁ ଭେଟି ଖୁସି ହେଲେ ମୋଦି। କୁଏତର ପ୍ରତିଷ୍ଠିତ ଲେଖକ ଅବଦୁଲ୍ଲା ବୈରନ୍ ଏହି ଦୁଇ ଭାରତୀୟ ମହାକାବ୍ୟକୁ ଅନୁବାଦ କରିଥିବା ବେଳେ, ଏହାର ପ୍ରକାଶକ ହେଉଛନ୍ତି ଅବଦୁଲ୍ ଲତିଫ ଅଲ୍ ନସିଫ।କୁଏତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଦୁଇଟି ଗ୍ରନ୍ଥରେ ଜୟ ଶ୍ରୀରାମ ଓ ଜୟ ଶ୍ରୀକ୍ରିଷ୍ଣା ଲେଖିବା ସହ ସ୍ୱାକ୍ଷର ଦେଇଛନ୍ତି ମୋଦି।

ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଆଦୃତି ବୃଦ୍ଧି ପ୍ରସଙ୍ଗ ଉଲ୍ଲେଖ କରି, ପୂର୍ବରୁ ମନ୍ କି ବାତ କାର୍ଯ୍ୟକ୍ରମରେ ମଧ୍ୟ ଏହି ଦୁଇ ଅନୁବାଦିତ ମହାକାବ୍ୟ କଥା ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ। ଆରବୀ ଭାଷାରେ ରାମାୟଣ ଓ ମହାଭାରତ ଅନୁବାଦ କରିବାକୁ ୨ ବର୍ଷ ଲାଗିଥିଲା ବୋଲି କହିଛନ୍ତି ଏହାର ପ୍ରକାଶକ।
ଦୁଇଦିନିଆ କୁଏତ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୩ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ମୋଦି। ଗତକାଲି କୁଏତ୍ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ କୁଏତ ପ୍ରିନ୍ସ ଶେଖ ମେଶାଲ। ଆଜି କୁଏତ୍ର ବାୟନ୍ ପ୍ୟାଲେସରେ ମୋଦିଙ୍କୁ ଗାର୍ଡ ଅଫ୍ ଅନରରେ ସମ୍ମାନିତ କରାଯିବ। ଏହାପରେ ସେ ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ।












Click it and Unblock the Notifications