ମୁନୀରଙ୍କୁ ଘୋର ବିରୋଧ, ସେନାଙ୍କ ଗୁଳି ମାଡ଼ରେ ୧୨ ମୃତ
ରଣକ୍ଷେତ୍ର ପାଲଟିଲା ପାକ୍ ଅକୁପାଏଡ୍ କଶ୍ମୀର । ମୁନୀର ସେନାଙ୍କ ବିରୋଧରେ ହଲ୍ଲା ବୋଲ । ତୃତୀୟ ଦିନରେ ଆର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ । ପାକିସ୍ତାନ ସେନାଙ୍କ ଗୁଳିମାଡରେ ୧୨ ନାଗରିକଙ୍କ ମୃତ୍ୟ ପରେ ଭୟଙ୍କର ହୋଇଛି ଆନ୍ଦୋଳନ । ଅଶାନ୍ତ ହୋଇପଡିଛି ପାକ୍ ଅଧିକୃତ କଶ୍ମୀର ।
ସ୍ବାଧୀନତା ଦାବି ନାରାବାଜିରେ କମ୍ପୁଛି ପାକିସ୍ତାନ ମାଟି । ପାକ୍ ସରକାରଙ୍କ ବିଫଳତାକୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ସେନାଙ୍କ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି । ସରିଫ ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ପିଓକେ ବାସିନ୍ଦା । ଏକାଧିକ ଜିଲ୍ଲାରେ ଦେଖାଦେଇଛି ହିଂସାକାଣ୍ଡ।

ରାୱଲକୋଟ, ମୁଜାଫରବାଦ, ନୀଲମଘାଟି ,ମୀରପୁର ଏବଂ କୋଟ୍ ଲୀ ପର୍ଯ୍ୟନ୍ତ ବ୍ୟାପିଛି ଆନ୍ଦୋଳନ । ଗତ ସୋମବାର ନିଜ ମୌଳିକ ଅଧିକାର ନେଇ ଆନ୍ଦୋଳନ ଆରମ୍ଭ କରିଥିଲା ଆୱେମୀ ଆକ୍ସନ କମିଟି-AAC । ଏସିସିର ମୁଖ୍ୟ ଦାବି ପାକିସ୍ତାନରେ ରହୁଥିବା କଶ୍ମୀର ଶରଣାର୍ଥୀଙ୍କ ପାଇଁ ପିଓକେ ବିଧାନସଭାରେ ଥିବା ୧୨ ଆସନକୁ ଉଚ୍ଛେଦ କରିବା ।
ତେବେ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପାକ୍ ସରକାର ପଞ୍ଜାବ ପ୍ରଦେଶ ଓ ଇସଲାମାବାଦରୁ ସେନା ଓ ପୋଲିସ ବଳ ପଠାଇଥିଲେ । ତେବେ ଆନ୍ଦୋଳନକାରୀଙ୍କ ଜୋରଦାର ପ୍ରତିବାଦ ଯୋଗୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ। ଫଳରେ ଗୁଳିମାଡ଼ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହା ସହ ୨୦୦ ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହା ପରେ ମୁନୀର ସେନା ଏବଂ ପାକ୍ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ପିଓକେ ବାସିନ୍ଦା । ଅନ୍ୟପଟେ ଅନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ପ୍ୟାନେଲ ଗଠନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।












Click it and Unblock the Notifications