ଯୁଦ୍ଧ ଭିତରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ
ଇସ୍ରାଏଲ୍-ହିଜ୍ବୁଲ୍ଲା ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ସ୍ଥଳଭାଗରୁ ହମ୍ଲା ପାଇଁ ଇସ୍ରାଏଲ୍ ଏହାର ସେନା ଓ ଟ୍ୟାଙ୍କ୍ ମୁତୟନ କରିଥିବା ବେଳେ ହିଜ୍ବୁଲ୍ଲା ମଧ୍ୟ ପଛକୁ ହଟିବାକୁ ଚାହୁଁନାହିଁ । ମୁଖିଆ ହସନ୍ ନସ୍ରଲ୍ଲାହର ମୃତ୍ୟୁରେ ଆତଙ୍କୀ ସଙ୍ଗଠନ ଭୟଭୀତ ହୋଇଯାଇ ନାହିଁ । ଇସ୍ରାଏଲ୍ର ସବୁ ପ୍ରକାର ପ୍ରହାରକୁ ସାମ୍ନା କରି ଜବାବ ଦେବା ଲାଗି ବଳ ଜୁଟାଉଛି ହିଜ୍ବୁଲ୍ଲା ।
ଏଭଳି ସ୍ଥିତିରେ ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ ଜାରି ରହିଛି । ଆଉ ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲର ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ତାଙ୍କ ସହ କଥା ହେବା ବେଳେ ମୋଦି ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ନେତାନ୍ୟାହୁଙ୍କ ସହ ଫୋନରେ କଥା ହେବା ପରେ ମୋଦି ଏ ସମ୍ପର୍କରେ ଏକ୍ସରେ ଗୋଟିଏ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ ଏସିଆରେ ଘଟୁଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି। ଆମ ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ।
ନେତାନ୍ୟାହୁଙ୍କ ସହ ଆଲୋଚନା ସମୟରେ ପଶ୍ଚିମ ଏସିଆରେ ଘଟୁଥିବା ସ୍ଥିତି ସଂପର୍କରେ ମୋଦୀ ଚର୍ଚ୍ଚା କରିଥିବା କହିଛନ୍ତି। ଯୁଦ୍ଧକୁ ବନ୍ଦ କରିବା ଏବଂ ବନ୍ଧକ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ମୁକୁଳାଇବାକୁ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମସ୍ତ ଉଦ୍ୟମକୁ ସମର୍ଥନ କରୁଛି ଏବଂ ଏଥିପାଇଁ ଅଙ୍ଗୀକାରବଦ୍ଧ ବୋଲି ମୋଦୀ କହିଛନ୍ତି।












Click it and Unblock the Notifications