ଦାୟିତ୍ୱ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି
ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି । ଦେଶରେ ପୁଣି ଶାନ୍ତି ପ୍ରତିଷ୍ଠା ପାଇଁ ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି । ସେପଟେ ଅନ୍ତରୀଣ ସରକାର କ୍ୟାବିନେଟ୍ ଗଠନ କରିବା ସମ୍ଭାବନା ଅଛି । ସୁଶୀଳା ଗତ ଶୁକ୍ରବାର ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ କ୍ୟାନିନେଟ୍ ଗଠନ କରିବା ସମ୍ଭାବନା ଅଛି ।
୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ନ୍ୟାୟିକ ସ୍ଵାଧୀନତା ଓ ସତ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ସୁଶୀଳା । ନେପାଳରୁ ଦୁର୍ନୀତିଖୋର, ସତ୍ତାଲୋଭୀ ରାଜନୀତିଜ୍ଞଙ୍କୁ ବାଦ ଦେଇ ନୂଆ ସରକାର ଗଢିବାକୁ ସୁଶୀଳାଙ୍କୁ ଚୟନ କରିଥିଲେ ଯୁବପୀଢି । ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା । ଆନ୍ଦୋଳନକାରଙ୍କ ଉଗ୍ର ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ ।

ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ କାହାକୁ ଦେଶର ମଙ୍ଗ ଦିଆଯିବ ତା' ଉପରେ କିଛି ନିଷ୍ପତ୍ତି ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ମଧ୍ୟରେ ଥିଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ । ହେଲେ ଶେଷରେ ସୁଶୀଳା କାର୍କିଙ୍କ ନାଁରେ ମୋହର ବାଜିଥିଲା। ଆଜି ସେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ।












Click it and Unblock the Notifications