ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍
ଉତ୍ତର କୋରିଆ ମଙ୍ଗଳବାର ଏକ ନୂତନ ମଧ୍ୟମ ଦୂରଗାମୀ ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇଆରବିଏମ୍) ସଫଳତାର ସହ ପରୀକ୍ଷା କରିଛି ବୋଲି ଦାବି କରିଛି। ସରକାରୀ ନ୍ୟୁଜ୍ ଏଜେନ୍ସି କେସିଏନ୍ଏ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ଶବ୍ଦର ବେଗଠାରୁ ପ୍ରାୟ ୧୨ଗୁଣା ଅଧିକ ବେଗରେ ୧,୫୦୦ କିଲୋମିଟର ଦୂରତା ଅତିକ୍ରମ କରିଛି। ଏ ସମ୍ପର୍କରେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ କହିଛନ୍ତି ଯେ, ଦେଶର ଆଣବିକ ନିରାପତ୍ତାକୁ ଆହୁରି ମଜବୁତ କରିବା ଏହି କ୍ଷେପଣାସ୍ତ୍ରର ଉଦ୍ଦେଶ୍ୟ। ଏହି କ୍ଷେପଣାସ୍ତ୍ର ଯେକୌଣସି ପ୍ରତିରକ୍ଷା ପ୍ରଣାଳୀରେ ପ୍ରବେଶ କରି ଶତ୍ରୁକୁ ଗୁରୁତର କ୍ଷତି ପହଞ୍ଚାଇପାରେ ବୋଲି ସେ ଦାବି କରିଛନ୍ତି।

କେସିଏନ୍ଏ ଅନୁଯାୟୀ କିମ୍ କହିଛନ୍ତି, ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରଶାନ୍ତ ମହାସାଗରରେ ଯେକୌଣସି ଶତ୍ରୁକୁ ଅଟକାଇବାକୁ ସକ୍ଷମ ହେବ। ଯେକୌଣସି ପ୍ରତିରକ୍ଷା ପ୍ରତିବନ୍ଧକକୁ ଫଳପ୍ରଦ ଭାବରେ ଏହି କ୍ଷେପଣାସ୍ତ୍ର ଭାଙ୍ଗିବାକୁ ସକ୍ଷମ ହେବ ବୋଲି କିମ୍ କହିଛନ୍ତି କେସିଏନ୍ଏ ରିପୋର୍ଟ କରିଛି ଯେ, ଆଇଆରବିଏମ୍ ଉପରେ ଥିବା ହାଇପରସୋନିକ୍ ଗ୍ଲାଇଡ୍ ଯାନ ୯୯.୮ କିଲୋମିଟର ଉଚ୍ଚତାରେ ପ୍ରଥମ ଶିଖରରେ ପହଞ୍ଚିଛି ଏବଂ ୪୨.୫କିଲୋମିଟର ଉଚ୍ଚରେ ଦ୍ୱିତୀୟ ଶିଖରରେ ପହଞ୍ଚିଛି, ୧,୫୦୦ କିଲୋମିଟରର ଉଡ଼ାଣ ପଥକୁ ସଫଳତାର ସହ ସମାପ୍ତ କରି ସମୁଦ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିଛି।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ବଡ଼ ପଦକ୍ଷେପ ନେଇ ନିର୍ବାଚନର ପ୍ରାୟ ଦୁଇ ମାସ ପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି ପରୀକ୍ଷା ହୋଇଛି।












Click it and Unblock the Notifications