ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ପ୍ରତିବାଦକାରୀ
ନେପାଳରେ ସରକାରର ପତନ ଘଟିଛି। ହେଲେ ହିଂସା, ଉତ୍ତେଜନା ଥମୁନାହିଁ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ସତ୍ବେ ଜନତାଙ୍କ ଆକ୍ରୋଶ କମିନାହିଁ। ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀ ନେତାଙ୍କ ଘର ସମେତ ସରକାରୀ ଅନୁଷ୍ଠାନକୁ ଜାଳି ଦେଉଛନ୍ତି। ଲୋକମାନେ କାଠମାଣ୍ଡୁରେ ଥିବା ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଫୁଟବଲ ପରି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ନେପାଳ ଅର୍ଥମନ୍ତ୍ରୀ ଏକ ଗଳି ରାସ୍ତାରେ ଲୁଚି ପଳାଉଥିବା ସମୟରେ ଲୋକମାନେ ତାଙ୍କୁ ଘେରି ଯାଇଛନ୍ତି। ଲୋକଙ୍କୁ ଠେଲି ଅର୍ଥମନ୍ତ୍ରୀ ଚାଲିଯାଉଥିବା ବେଲେ ଲୋକେ ତାଙ୍କୁ ବିଧା ଗୋଇଠା ମାରି ଚାଲିଛନ୍ତି। ସରକାରଙ୍କ ବିରୋଧରେ ଲୋକେ କେତେ ମାତ୍ରାରେ ଉତ୍ତ୍ୟକ୍ତ ହୋଇଛନ୍ତି ତାହା ଏହି ଭିଡିଓରୁ ଦେଖିବାକୁ ମିଳିଛି।

ଏହି ହିଂସାତ୍ମକ ପ୍ରତିବାଦର ଚାପରେ, ପ୍ରଥମ ଗୃହମନ୍ତ୍ରୀ ରମେଶ ଲେଖକ, କୃଷିମନ୍ତ୍ରୀ ରାମନାଥ ଅଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପାଉଡେଲ ଏବଂ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଇସ୍ତଫା ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା।
କ୍ରୋଧିତ ପ୍ରଦର୍ଶନକାରୀମାନେ ସଂସଦ ଭବନରେ ପଶି ଭଙ୍ଗାରୁଜା କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ଏବଂ ଶେର ବାହାଦୁର ଦେଉବାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘର ମଧ୍ୟ ପୋଡ଼ି ଦିଆଯାଇଥିଲା। ପୋଲିସ କଠୋରତା ଦେଖାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ଏହି ହିଂସାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି।












Click it and Unblock the Notifications