ନାସା ଅଚଳ, ଛୁଟିରେ ୧୫ ହଜାରରୁ ଅଧିକ କର୍ମଚାରୀ
ଆମେରିକାରେ ସଟ୍ଡାଉନ୍ ଯୋଗୁ ଅଚଳ ହୋଇପଡ଼ିଛି ନାସା । ଏହି ସ୍ଥିତିରେ ପ୍ରଶ୍ନ ଉଠିଛି, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଭଳି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାବଶ୍ୟକ ମହାକାଶ ଅପରେସନ୍ଗୁଡ଼ିକର ପରିଚାଳନା କେମିତି ହେଉଛି? ନାସାର ୧୫ ହଜାରରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି । ପ୍ରାୟ ସମସ୍ତ ନିୟମିତ କାର୍ଯ୍ୟକ୍ରମ ଅଟକିଛି ।

ଜଟିଳ ହାର୍ଡୱେର୍ ଓ ମହାକାଶଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କର କେବଳ ଗୋଟିଏ କୋର୍ ଗ୍ରୁପ୍ କାର୍ଯ୍ୟ କରୁଛି । ନାସାର ଔପଚାରିକ ଯୋଜନା ଅନୁସାରେ, ଆମେରିକା କଂଗ୍ରେସ ଦ୍ୱାରା ନୂଆ ପାଣ୍ଠି ଅନୁମୋଦିତ ନ ହେବା ଯାଏ ନାସା ନିଜର ସମସ୍ତ ଦୈନନ୍ଦିନ ଅପରେସନ୍ ଓ ବୈଜ୍ଞାନିକ କାର୍ଯ୍ୟକୁ ବାତିଲ କରିଛି । ନାସାର ସୋସିଆଲ ମିଡିଆ ପେଜ୍ କିମ୍ବା ଔପଚାରିକ ବ୍ଲଗ୍ରେ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ କିମ୍ବା ଗବେଷଣା ସମ୍ପର୍କିତ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ ।
ସଟ୍ଡାଉନ୍ର ଦିନକ ପୂର୍ବରୁ ଅର୍ଥାତ୍ ଗତ ସେପ୍ଟେମ୍ବର ୩୦ରେ ଶେଷ ଥର ଏ ସମ୍ପର୍କିତ ସୂଚନା ଅପ୍ଡେଟ୍ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ମିଶନ୍ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି, କାରଣ ଏଗୁଡ଼ିକ ବାଧିତ ହେଲେ ମାନବ ଜୀବନ, ସୁରକ୍ଷା ଓ ସମ୍ପତ୍ତି ପ୍ରତି ବିପଦ ଆସିପାରେ । ଏଥିରେ ସ୍ପେସ୍ ଷ୍ଟେସନ୍ ଉପରେ ୨୪ ଘଣ୍ଟିଆ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସାମିଲ । ଅନ୍ୟ ଦେଶର ମହାକାଶଚାରୀଙ୍କ ସମେତ ଆମେରିକୀୟ ମହାକାଶଚାରୀମାନେ ସ୍ପେସ୍ ଷ୍ଟେସନ୍ରେ ରହି ବିଭିନ୍ନ ଅଧ୍ୟୟନ ଚଳାଇଛନ୍ତି ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅନ୍ତର୍ଜାତୀୟ ସହଭାଗିତା ରୂପେ ନାସା, ରୁଷ୍ର ରୋସ୍କୋସ୍ମୋସ୍, ୟୁରୋପର ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନର ଜାକ୍ସା ଓ କାନାଡ଼ାର ସିଏସ୍ଏ ଭଳି ସହଭାଗୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଆମେରିକାର ପାଣ୍ଠି ଅନୁମୋଦନ ଅଟକିବା ସମୟରେ ମଧ୍ୟ ସ୍ପେସ୍ ଷ୍ଟେସନ୍ ଅପରେସନ୍ର ସଂଚାଳନା, ବୈଶ୍ୱିକ ସହଭାଗୀମାନଙ୍କ ସହ ସମନ୍ୱୟ ରକ୍ଷା ଏବଂ ଯେକୌଣସି ଆପାତକାଳର ମୁକାବିଲା ଲାଗି ହ୍ୟୁଷ୍ଟନ୍ଠାରେ ନାସା ଅଧିକାରୀ ମିଶନ୍ ନିୟନ୍ତ୍ରଣରେ ନିୟୋଜିତ ଥାନ୍ତି ।
ଏହି କୋର୍ କର୍ମଚାରୀମାନେ ପାଣ୍ଠି ଅନୁମୋଦନ ନ ହେବା ପର୍ଯ୍ୟନ୍ତ ଦରମା ପାଆନ୍ତି ନାହିଁ । ମହାକାଶଚାରୀଙ୍କ ସୁରକ୍ଷା ସବୁଠୁ ବଡ଼ ବିଷୟ ହୋଇଥିବାରୁ ସେମାନଙ୍କ ଭୂମିକାକୁ ସଟ୍ଡାଉନ୍ଠୁ ସମ୍ପୂର୍ଣ୍ଣ ଅଲଗା ବୋଲି ବିବେଚନା କରାଯାଏ । ଅତ୍ୟାବଶ୍ୟକ ନ ଥିବା ସମସ୍ତ କାର୍ଯ୍ୟକ୍ରମ ଯଥାଶିକ୍ଷା, ଅଧିକାଂଶ ଗବେଷଣାତ୍ମକ ପ୍ରୋଜେକ୍ଟ ଏବଂ ନୂଆ ବୈଜ୍ଞାନିକ ମିଶନଗୁଡ଼ିକର ବିକାଶମୂଳକ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ସାର୍ବଜନୀନ ଯୋଗାଯୋଗ ଓ ପ୍ରେସ୍ ସୂଚନା ମଧ୍ୟ ବନ୍ଦ ଅଛି ।












Click it and Unblock the Notifications