ଜର୍ମାନ୍ ଚାନ୍ସଲରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଚାନ୍ସଲର ଏଞ୍ଜେଲା ମାର୍କେଲଙ୍କ ସହ ଆଫଗାନିସ୍ତାନ ବିଷୟରେ ଫୋନ୍ରେ କଥାବାର୍ତା ହୋଇଛନ୍ତି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିରେ ଦ୍ୱିପାକ୍ଷିକ, ବହୁ ପାକ୍ଷିକ ଏବଂ ଆଂଚଳିକ ବିଷୟରେ ଦୁଇ ରାଷ୍ଟ୍ର ମୁଖ୍ୟ କଥାହୋଇଛନ୍ତି । ଏଥିସହିତ ଭାରତ ଜର୍ମାନୀ ଦୁଇଦେଶ ପରସ୍ପର ମଧ୍ୟରେ ରଣନୀତିକ ସହଯୋଗୀତାକୁ ଆହୁରି ଦୃଢ଼ିଭୂତ କରିବା ପାଇଁ ପୁନର୍ବାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଆଲୋଚନା ସମ୍ବନ୍ଧରେ ସୂଚିତ କରାଯାଇଛି ଯେ, ଏଞ୍ଜେଲା ମର୍କେଲ୍, ଆଫଗାନିସ୍ତାନରେ ସୁରକ୍ଷା ଜନିତ ସ୍ଥିତି ଏବଂ କ୍ଷେତ୍ରୀୟ ତଥା ବିଶ୍ୱ ସମୁଦାୟ ଉପରେ ଏହାର କୁ ପ୍ରଭାବ ପଡିବା ନେଇ ଆଲୋଚନା କରିଥିଲେ । ଦେଶରେ ଫସି ରହିଥିବା ନାଗରିକମାନଙ୍କୁ ସୁରକ୍ଷିତ ନିଜ ନିଜ ଦେଶକୁ ଫେରାଇ ଆଣିବାକୁ ପ୍ରାଥମିକତା ପ୍ରଦାନ କରିବା ସହ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ନେଇ ଏଞ୍ଜେଲା ଗୁରୁତ୍ୱାରୋପ କରିଥିଲେ । ପିଏମ୍ଓ ମୁତାବକ ଦୁଇ ନେତା ଦ୍ୱିପାକ୍ଷିକ ଏଜେଣ୍ଡା ସମ୍ବନ୍ଧରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ । ଏଥିରେ କୋଭିଡ୍-୧୯ ଟୀକାରେ ସହଯୋଗ, ଜଳବାୟୁ ଏବଂ ଶକ୍ତିକ୍ଷେତ୍ରରେ ଧ୍ୟାନ ଦେବା ସହିତ ବିକାଶରେ ସହଯୋଗ, ବ୍ୟାପାର ଏବଂ ଅର୍ଥନୀତି ସମ୍ବନ୍ଧୀୟ ବିଷୟ ଅନ୍ତର୍ଭୁକ୍ତ ଥିଲା ।
ଏହାଛଡ଼ା ଦୁଇନେତା ଆଗାମୀ ସିଓପି-୨୬ ବୈଠକ ଏବଂ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସମୁଦ୍ର ପଥରେ ସୁରକ୍ଷା ପ୍ରଦାନ ସମ୍ବନ୍ଧୀୟ କଥାବାର୍ତାକୁ ଆଗକୁ ବଢ଼ାଇବା ଦିଗରେ ଭାରତର ଭୂମିକା ଇତ୍ୟାଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସେମାନେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସମାବେଶୀ ସହଯୋଗକୁ ଗୁରୁତ୍ୱ ଦେବା ଉପରେ ଦୁଇଦେଶର ଦୃଷ୍ଟିକୋଣରେ ଅନେକ ସମାନତା ନେଇ ଆଲୋଚନା କରିଥିଲେ । ଏହା ପୁର୍ବରୁ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଚଳିତ ଅଗଷ୍ଟ ୨୧ ତାରିଖରେ ଜର୍ମାନିର ନିଜ ପ୍ରତିପକ୍ଷ ହିକୋ ମାସଙ୍କ ସହ ଆଫଗାନିସ୍ତାନର ସବିଶେଷ ଘଟଣାବଳୀ ତଥା କାବୁଲ୍ରୁ ନାଗରିକମାନଙ୍କୁ ଜରୁରୀକାଳୀନ ଉଦ୍ଧାର ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ । ଆଫଗାନିସ୍ତାନରେ ତାଲିବାନ୍ର ଆକ୍ରମଣ ପରେ ଏହି ସ୍ଥିତିକୁ ନେଇ ଭାରତ ଅନେକ ଦେଶ ସହ ଆନ୍ତର୍ଜାତିକସ୍ତରରେ କୂଟନୈତିକ ଆଲୋଚନା ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ଉପରେ ତାଲିବାନ୍ ଆକ୍ରମଣ କରି ବିଭିନ୍ନ ଅଂଚଳକୁ ନିଜ ଅକ୍ତିଆରରେ ରଖିଛି । ରାଷ୍ଟ୍ରପତି ଗନି ଦେଶଛାଡି ଏକାଧିକ ଦେଶରେ ଶରଣ ନେବା ପରେ ଏବେ ସଂଯୁକ୍ତ ଆରବ ଏମିରେଟସ୍ରେ ଶରଣ ନେଇଛନ୍ତି । ଆଫଗାନିସ୍ତରେ ଶାସନ ଅକ୍ତିଆର କରିବାକୁ ତାଲିବାନ୍ର ଚେଷ୍ଟା ଜାରିରହିଥିବା ବେଳେ ଦେଶରେ ଦେଖାଦେଇଥିବା ଅରାଜକତା, ହିଂସା ଏବଂ ଅସୁରକ୍ଷିତ ପରିସ୍ଥିତି ମଧ୍ୟରେ ବାହାର ଦେଶର ନାଗରିକମାନେ ତ୍ୱରିତ୍ ଦେଶଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି । ଦେଶର ରାଜଧାନୀ କାବୁଲ୍ର ଆନ୍ତର୍ଜାତିକ ବିମାନବନ୍ଦରରେ ପରିସ୍ଥିତି ଅଣାୟତ ଅବସ୍ଥାରେ ରହିଛି ।












Click it and Unblock the Notifications