ହସିନାଙ୍କ ଅଡିଓ ଟେପ୍ ଭାଇରାଲ୍, ‘ଯେଉଁଠି ଦେଖୁଛ ସେଇଠି ଗୁଳିକର’
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷର ବିଶାଳ ଛାତ୍ର ପ୍ରତିବାଦ ସମୟରେ ସୁରକ୍ଷା ବାହିନୀକୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ଲିକ ହୋଇଥିବା ଅଡିଓ କଲରେ ଏହି ଦାବି କରାଯାଇଛି, ଯାହାକୁ ବିବିସି ନିଶ୍ଚିତ କରିଛି। ଏହି ରେକର୍ଡିଂରେ, ହାସିନାଙ୍କୁ ପ୍ରତିବାଦକାରୀଙ୍କ ବିରୁଦ୍ଧରେ ମାରାତ୍ମକ ଅସ୍ତ୍ର ବ୍ୟବହାରକୁ ଅନୁମୋଦନ କରୁଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି, 'ଯେଉଁଠାରେ ସେମାନଙ୍କୁ ଦେଖୁଛ ସେଠାରେ ଗୁଳି କରିଦିଅ।'
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ମଧ୍ୟରେ ଏହା ସାରା ଦେଶରେ ଏକ ହିଂସାତ୍ମକ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ପ୍ରତିବାଦ ଶେଷରେ ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରିଦେଇଥିଲା। ଜାତିସଂଘର ଏକ ତଦନ୍ତ ଅନୁଯାୟୀ, ଏହି ଦମନରେ ପ୍ରାୟ ୧,୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ୧୯୭୧ ଯୁଦ୍ଧ ପରେ ସବୁଠାରୁ ଖରାପ ରାଜନୈତିକ ହିଂସା ଥିଲା।

ବାଂଲାଦେଶର ପବ୍ଲିକ ପ୍ରସିକ୍ୟୁଟରମାନେ ଶେଖ୍ ହସିନାଙ୍କ ବିରୁଦ୍ଧରେ ଏହି ଅଡିଓକୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ମାନବତା ବିରୋଧୀ ଅପରାଧ ପାଇଁ ଶେଖ୍ ହସିନା ପୂର୍ବରୁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛନ୍ତି।
ଭାରତ ପଳାଇଆସିଥିବା ହସିନା ଏବଂ ତାଙ୍କ ଦଳ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆୱାମୀ ଲିଗ୍ ଦଳର ମୁଖପାତ୍ର ଅଡିଓ ଟେପ୍ରେ ଶେଖ୍ ହସିନା କିଛି ମଧ୍ୟ ଆଇନ ବିରୁଦ୍ଧରେ କହି ନଥିବା କହିଛନ୍ତି।
ଜଣେ ଅଜଣା ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ହସିନାଙ୍କ କଥାବାର୍ତ୍ତାର ଲିକ୍ ହୋଇଥିବା ଅଡିଓ ଏପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଯେ, ସେ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ସିଧାସଳଖ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ, ଏହି ପ୍ରତିବାଦ ୧୯୭୧ ସ୍ୱାଧୀନତା ଯୁଦ୍ଧରେ ଲଢ଼ିଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ସିଭିଲ ସର୍ଭିସ୍ ଚାକିରିରେ ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିଲା ଏବଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। ଯାହା ପରେ ୧୫ ବର୍ଷ ଧରି କ୍ଷମତାରେ ଥିବା ହସିନାଙ୍କୁ କ୍ଷମତାରୁ ବହିଷ୍କାର ହେବାକୁ ପଡିଥିଲା। ଏହା ୧୯୭୧ ପରେ ବାଂଲାଦେଶରେ ସବୁଠାରୁ ବଡ଼ ରକ୍ତାକ୍ତ ସଂଘର୍ଷ ଥିଲା।












Click it and Unblock the Notifications