ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ ଇଶିବା ଶିଗେ, ସଂସଦୀୟ ନିର୍ବାଚନରେ ପରାଜୟ ଯୋଗୁଁ ବଢ଼ିଲା ଚାପ
ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା । ଶାସକ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ରେ ସମ୍ଭାବ୍ୟ ବିଭାଜନକୁ ଏଡାଇବା ପାଇଁ ସେ ଏହି ପଦକ୍ଷେପ ନେଇଥିଲେ । ଜୁଲାଇରେ ଅନୁଷ୍ଠିତ ନିର୍ବାଚନରେ ଜାପାନର ଶାସକ ମେଣ୍ଟ ସରକାରଙ୍କୁ ଉଚ୍ଚ ସଦନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଦଳ ଭିତରେ ବହୁ ଦିନ ଧରି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଥିଲା।

ଉଚ୍ଚ ସଦନର ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ କ୍ଷମତା ଉପରେ ଥିବା କବଜାକୁ ଆହୁରି ଦୁର୍ବଳ କରିଦେଇଥିଲା, ହେଲେ ସେ ଘୋଷଣା କରିଥିଲେ ଯେ ସେ ଦଳର ମୁଖ୍ୟ ରହିବେ । ଇଶିବା ଏହା ପାଇଁ ଆମେରିକା ସହିତ ଚାଲିଥିବା ଶୁଳ୍କ ଆଲୋଚନାକୁ ଦାୟୀ କରିଛନ୍ତି, ଯେଉଁଠାରେ ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜାପାନ ଉପରେ ଶୁଳ୍କକୁ ୨୫ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି ।
ଜୁଲାଇ ନିର୍ବାଚନରେ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ଏବଂ ଏହାର ସହଯୋଗୀ କୋମେଇଟୋ ମୋଟ ୪୭ଟି ଆସନ ଜିତିଥିଲେ, ଯେତେବେଳେ ବହୁମତ ପାଇଁ ଅତି କମରେ 50ଟି ଆସନ ଆବଶ୍ୟକ ଥିଲା। ଉଚ୍ଚ ସଦନରେ ମୋଟ ୨୪୮ଟି ଆସନ ଅଛି ଏବଂ ଏହି ନିର୍ବାଚନରେ ଅଧା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା।
ଗତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ନିମ୍ନ ସଦନ ନିର୍ବାଚନରେ, LDPକୁ ଗତ ୧୫ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନର ସମ୍ମୁଖୀନ ହେବାକୁ ପଡିଥିଲା। ଏହି କାରଣରୁ, ଇଶିବା ସରକାର ଏବେ ଅନାସ୍ଥା ପ୍ରସ୍ତାବ ଏବଂ ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ଦାବି ମଧ୍ୟରେ ଫସି ଯାଇଥିଲା । ଜୁଲାଇରେ ଉଚ୍ଚ ସଦନ ନିର୍ବାଚନର ଫଳାଫଳ ଆସିବା ପରେ, ପ୍ରଧାନମନ୍ତ୍ରୀ ଇଶିବା ଗଣମାଧ୍ୟମ ସହିତ ଆଲୋଚନାରେ କହିଥିଲେ, "ମୁଁ ଏହି କଠୋର ଫଳାଫଳକୁ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ ଗ୍ରହଣ କରୁଛି।"












Click it and Unblock the Notifications