ଇରାନରେ ତାଣ୍ଡବ ରଚିଲା ଇସ୍ରାଏଲ, କଲା ଭୟଙ୍କର ଆକ୍ରମଣ
ଗତ ୨୪ ଘଣ୍ଟା ମଧ୍ୟରେ ଇରାନର ସାମରିକ ଓ ଆଣବିକ ପ୍ରତିଷ୍ଠାନ ସମେତ ଏକାଧିକ ଅଞ୍ଚଳରେ ଇସ୍ରାଏଲର ମାରାତ୍ମକ ଏୟାର୍ ଷ୍ଟ୍ରାଇକ୍ ଭୀଷଣ ବିପର୍ଯ୍ୟୟ ଘଟାଇଛି। ଇରାନର ୧୦୦ ଟାର୍ଗେଟ୍ ଧ୍ବଂସ କରିଥିବା ଇସ୍ରାଏଲ ଦାବି କରିଛି। ସମସ୍ତ ପ୍ରମୁଖ ପ୍ରରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଧ୍ବଂସ କରାଯାଇଥିବାରୁ ନିକଟ ଭବିଷ୍ୟତରେ ଆଉ ପରମାଣୁ ବିପଦ ନାହିଁ ବୋଲି ମଧ୍ୟ ଇସ୍ରାଏଲ ଘୋଷଣା କରିଛି। ଏହି ଆକ୍ରମଣ ଇରାନକୁ ଦୋହଲାଇ ଦେଇଥିବା ବେଳେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ପାଇଁ ବହୁତ ବଡ଼ ଆହ୍ବାନ ହୋଇଛି।
ଇସ୍ରାଏଲ ସେନା କହିଛି ଯେ ଇରାନ ଇସ୍ରାଏଲ ଉପରକୁ ପ୍ରାୟ ୧୦୦ଟି ଡ୍ରୋନ୍ ମାଡ଼ କରିଥିଲା ଓ ସେଗୁଡ଼ିକୁ ଖସାଇ ଦିଆଯାଇଛି। ଆଜି ରାତିରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କରିଥିବା ବେଳେ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଆକାଶରେ ହିଁ ଧ୍ବଂସ କରିଦେଇଛି। ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ କହିଛନ୍ତି ଯେ ଇରାନ ଇସ୍ରାଏଲ ଅଞ୍ଚଳକୁ ପ୍ରାୟ ୧୦୦ ୟୁଏଭି ଛାଡ଼ିଥିଲା ଏବଂ ଏହାକୁ ରୋକିବାରେ ଶତ ପ୍ରତିଶତ ସଫଳତା ମିଳିଛି।

ଇସ୍ରାଏଲର ଆକ୍ରମଣରେ ଇରାନର ସଶସ୍ତ୍ର ବାହିନୀ ମୁଖ୍ୟ ମହମ୍ମଦ ବାଘେରୀ ଏବଂ ବରିଷ୍ଠ ରିଭଲ୍ୟୁସନରୀ ଗାର୍ଡ କମାଣ୍ଡର ଘୋଲାମ ଅଲି ରସିଦ ନିହତ ହୋଇଛନ୍ତି। ପରମାଣୁ ବୈଜ୍ଞାନିକ ମହମ୍ମଦ ମେହେଦି ତେହେରାନଚି ଓ ଫେରେଡୋନ୍ ଆବ୍ବାସି ମଧ୍ୟ ନିହତ ହୋଇଥିବା ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଇରାନର ୧୦୦ଟି ସାମରିକ ପ୍ରତିଷ୍ଠାନକୁ ନଷ୍ଟ କରିବା ପାଇଁ ୨ ଶହ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା ବୋଲି ଡେଫ୍ରିନ କହିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ଆକ୍ରମଣର ଜବାବ ଦେବା ଜାତିସଂଘ ଚାର୍ଟରର ଧାରା ୫୧ ଅନୁଯାୟୀ ଇରାନର ଆଇନଗତ ଓ ବୈଧ ଅଧିକାର। ଇରାନର ରିଭଲ୍ୟୁସନରୀ ଗାର୍ଡସ ମଧ୍ୟ ଏହାର ମୁଖ୍ୟ ହୁସେନ ସଲାମୀଙ୍କ ହତ୍ୟାର ପ୍ରତିଶୋଧ ନେବ ବୋଲି କହିଛି। ଇସ୍ଲାମିକ ରିପବ୍ଲିକ୍ ଉପରେ ଇସ୍ରାଏଲର ଆକ୍ରମଣ ପାଇଁ ଆମେରିକା ଦାୟୀ ବୋଲି ତେହେରାନ କହିଛି। ଆମେରିକାର ସମନ୍ୱୟ ଓ ଅନୁମତି ବିନା ଇରାନ ବିରୋଧରେ ଇସ୍ରାଏଲର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଇରାନ କହିଛି ଯେ ଇସ୍ରାଏଲର ଏହି ଆକ୍ରମଣ ଆମକୁ ଆହୁରି ଶକ୍ତିଶାଳୀ କରିବ ଏବଂ ୟୁରାନିୟମ୍ ସମୃଦ୍ଧି ଓ କ୍ଷେପଣାସ୍ତ୍ର କ୍ଷମତାକୁ ଆମେ ଆଗକୁ ବଢ଼ାଇବୁ।












Click it and Unblock the Notifications