Israel-Hezbollah conflict: କାସିମ ଦେଇଥିଲେ ଚ୍ୟାଲେଞ୍ଜ, ଲେବାନନ୍ରେ ପଶିଗଲା ଇସ୍ରାଏଲ ସେନା
Israel-Hezbollah conflict: ଇସ୍ରାଏଲ୍ର ହେଜ୍ବୋଲ୍ଲା ଦମନ ଅଭିଯାନ 'ଅପରେଶନ୍ ନ୍ୟୁ ଅର୍ଡର' ଲେବାନନ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଆକାଶମାର୍ଗରୁ ଘନ ଘନ ରକେଟ ମାଡ଼ ଯୋଗୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଛି। ଲୋକେ ପ୍ରାଣ ବିକଳରେ ପଡ଼ୋଶୀ ସିରିଆକୁ ପଳାୟନ କରିବାରେ ଲାଗିଛନ୍ତି।
ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲେବାନନ୍ ବାସିନ୍ଦା ସିରିଆକୁ ଯାଇ ଆଶ୍ରୟ ନେଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍ଏଚ୍ସିଆର) ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ ଓ ସିରିଆ ନାଗରିକଙ୍କ ପଳାୟନ ଜାରି ରହିଥିବା ୟୁଏନ୍ଏଚ୍ସିଆର ମୁଖ୍ୟ ଫିଲିପ୍ପୋ ଗ୍ରାଣ୍ଡି ସୋମବାର ଏକ୍ସ'ରେ କହିଛନ୍ତି। ଜାତିସଂଘ ଅଧିକାରୀଙ୍କ ତଥ୍ୟ ମୁତାବକ ବିସ୍ଥାପିତଙ୍କ ମଧ୍ୟରୁ ଗଣପଳାୟନ କରିଥିବା ଲୋକଙ୍କ ସଂଖ୍ୟା ଗତ ୨ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି।
ଏପଟେ ହିଜ୍ବୁଲ୍ଲା ମୁଖ୍ୟ ନସ୍ରଲ୍ଲାହର ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଏହାର ଉପମୁଖ୍ୟ ନଇମ୍ କାସିମ୍ ଲେବାନନ୍ର ଜନତାଙ୍କୁ ସମ୍ବୋଧନ କରିଛି। ଇସ୍ରାଏଲ୍ ଏବେ ନରସଂହାର ଚଳାଇଥିବା ସେ ଅଭିଯୋଗ କରିଛି । କାସିମ୍ ଆହୁରି କହିଛି ଯେ ଯଦି ଲେବାନନ୍ରେ ଇସ୍ରାଏଲ୍ ସେନା ଅନୁପ୍ରବେଶ କରେ, ତେବେ ଆମ ଯୋଦ୍ଧାମାନେ ଲଢ଼ିବାକୁ ପ୍ରସ୍ତୁତ ।

ନସ୍ରଲ୍ଲାହଙ୍କ ମୃତ୍ୟୁ ପରେ ବି ଆମ ଯୋଜନାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲେବାନନ୍ର କାମଚଳା ପ୍ରଧାନମନ୍ତ୍ରୀ ନାଜିବ ମିକାତି ଦକ୍ଷିଣରେ ସେନା ମୁତୟନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ୨୦୦୬ର ୟୁଏନ୍ଏସ୍ସି ସଂକଳ୍ପ ୧୭୦୧କୁ ସମ୍ପୂର୍ଣ୍ଣ ଲାଗୁ ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଥିଲେ ।
ଏପଟେ ଇସ୍ରାଏଲ ସ୍ଥଳ ସେନା ଲେବାନନ୍ରେ ପଶି ଏଥିପାଇଁ ସତନ୍ତ୍ର ଅପରେସନ୍ ଆରମ୍ଭ କରିଛି। ସୋମବାର ସକାଳେ ଇସ୍ରାଏଲ-ଲେବାନନ୍ ସୀମା ନିକଟସ୍ଥ ଲେବାନନ୍ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହେଜବୁଲ୍ଲାର ଦକ୍ଷତାକୁ ମାପିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି। ଇସ୍ରାଏଲ ଆଗକୁ ଲେବାନନ୍ରେ ବଡ଼ ଧରଣର ଆକ୍ରମଣ କରିବାପାଇଁ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି।












Click it and Unblock the Notifications