ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୭୩ ମୃତ
ଜେରୁଜେଲମ: ଦୀର୍ଘ ୧ ବର୍ଷ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଏବେ ଲେବାନନ ଓ ଇରାନ ମଧ୍ୟ ସାମିଲ ହୋଇଛନ୍ତି। ଗତ ବର୍ଷ ହାମାସ ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି। ହମାସ ମୁଖ୍ୟ ୟାହିୟା ସିନୱାରଙ୍କ ମୃତ୍ୟୁ ପରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ ତିନି ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ଦିନ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜାର ବେତ୍ ଲହିୟେରେ ଆଇଡିଏଫ ଆକ୍ରମଣରେ ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି।
ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଜବାଲିଆ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଶହ ଶହ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଆବର୍ଜନା ତଳେ ପୋତି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ପାଲେଷ୍ଟାଇନ ମୃତକଙ୍କ ସଂଖ୍ୟା ୪୦ ହଜାର ଟପି ପ୍ରାୟ ୪୨ ହଜାରରେ ପହଞ୍ଚିବାର ଆଶଙ୍କା ରହିଛି। ଇସ୍ରାଏଲ୍ ସୈନ୍ୟବାହିନୀ ଜବାଲିଆ ଶିବିରରେ ବୋମା ମାଡ଼ କରିଥିଲେ। ଇସ୍ରାଏଲ ସୀମାରେ ହମାସ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ ହୋଇଥିଲା।

ହମାସ ପରିଚାଳିତ ଗାଜା ସରକାରଙ୍କ ମିଡିଆ କାର୍ଯ୍ୟାଳୟ କହିଛି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ଭଙ୍ଗାକୋଠା ତଳେ ପୋତି ହୋଇ ଯାଇଛନ୍ତି। ଏଥିରେ ବହୁ ସଂଖ୍ୟକ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି। ତେବେ ଇସ୍ରାଏଲ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।












Click it and Unblock the Notifications