ବନ୍ଧୁ ମୋଦୀଙ୍କ ଅନୁରୋଧ ରକ୍ଷାକରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏପ୍ରିଲ ପ୍ରଥମ ସପ୍ତାହରେ ଭାରତ ଆସିବେ
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସିବେ ଭାରତ ଗସ୍ତରେ। ଏପ୍ରିଲ ପ୍ରଥମ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ ପ୍ରଥମ ସରକାରୀ ଗସ୍ତରେ ଭାରତ ଆସିବେ। ଇସ୍ରାଲ୍ ଓ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନର ୩୦ଶ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ବେନେଟ୍ ଭାରତ ଆସୁଛନ୍ତି।

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ରହିଛି। ପ୍ରଧାନ ମନ୍ତ୍ରୀ ନାଫ୍ଟାଲି ବେନେଟଙ୍କ ସହ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁତ୍ଵ ମଧ୍ୟ ସର୍ବ ବିଦିତ। ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ରାଷ୍ଟ୍ରମୁଖ୍ୟଙ୍କ ଭାରତ ଆଗମନକୁ ଭବ୍ୟ ସ୍ଵାଗତ କରିବା ପାଇଁ ନୂଆଦିଲ୍ଲୀ ଆରମ୍ଭ କରିଛି ପ୍ରସ୍ତୁତି। ଏହି ଗସ୍ତ ସମୟରେ ବେନେଟ୍ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ଭେଟିବା ସହିତ ଭାରତରେ ଥିବା ଇହୁଦୀ ସମ୍ପ୍ରଦାୟକୁ ଭେଟିବା କାର୍ଯ୍ୟ ସୂଚୀ ରହିଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଅର୍ଥନୀତି, ଗବେଷଣା ଓ ବିକାଶ, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପରସ୍ପର ସହଯୋଗ ତଥା ବିକାଶ ପାଇଁ ଗୁରୁତ୍ଵପୂର୍ଣ ଆଲୋଚନା ହେବ। ଏ ସଂକ୍ରାନ୍ତରେ ଟୁଇଟ୍ କରି ବେନେଟ୍ ଲେଖିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧକ୍ରମେ ପ୍ରଥମ ସରକାରୀ ଗସ୍ତରେ ଭାରତ ଯାଉଥିବାରୁ ଆନନ୍ଦିତ। ଆମ ଦେଶର ସମ୍ପର୍କକୁ ଆଗେଇ ନେବା ଲାଗି ଆମେ ଏକତ୍ର କାର୍ଯ୍ୟ କରିବୁ। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ସମ୍ପର୍କକୁ ମୋଦୀ ପୁନଃଜାଗରୁକ କରିଛନ୍ତି। ତେଣୁ, ଏହାର ଐତିହାସିକ ଗୁରୁତ୍ବ ରହିଛି। ଭାରତୀୟ ଓ ଇହୁଦୀୟ ସଂସ୍କୃତି ମଧ୍ୟରେ ସମ୍ପର୍କ ଅତି ନିବିଡ଼। ଭାରତୀୟମାନଙ୍କ ଠାରୁ ଆମେ ଅନେକ କିଛି ଶିଖି ପାରିବୁ ବୋଲି କହିଛନ୍ତି ବେନେଟ।












Click it and Unblock the Notifications