ଟ୍ରମ୍ପଙ୍କ ଶାନ୍ତି ପ୍ଲାନ୍ ଫେଲ୍! ଗାଜାରେ ପୁଣି ଇସ୍ରାଏଲର ବୋମା ବର୍ଷା
ପୁଣି ଗାଜା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ମଙ୍ଗଳବାର ଦିନ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ରତିସାରା ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିସାରା ଗାଜାରେ ବିମାନ ଆକ୍ରମଣ କରିବା ପରେ, ଇସ୍ରାଏଲୀ ସେନା ଦାବି କରିଛି ଯେ ବୁଧବାର ଦିନ ହମାସ ସହିତ ପୁଣି ଥରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଗାଜାରେ "ଆତଙ୍କବାଦୀ ଘାଟି ଏବଂ ଆତଙ୍କବାଦୀ" ଉପରେ ଆକ୍ରମଣ ପରେ ପୁଣି ଥରେ ଏହି ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି।
ଇସ୍ରାଏଲ କହିଛି ଯେ ଏହାର ସେନା ପାଲେଷ୍ଟାଇନୀ ଅଞ୍ଚଳ ଭିତରେ କାର୍ଯ୍ୟ କରୁଥିବା "ଆତଙ୍କବାଦୀ ସଂଗଠନର ୩୦ ଜଣ ଶୀର୍ଷ ଆତଙ୍କବାଦୀ"ଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛି। ଗାଜା ଉପରେ ପ୍ରଚଣ୍ଡ ହମ୍ଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇସ୍ରାଏଲ୍ ନେତନ୍ୟାହୁ ବେଞ୍ଜାମିନ୍ । ହମାସ୍ ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ଶକ୍ତିଶାଳୀ ଆକ୍ରମଣ ପାଇଁ ଇସ୍ରାଏଲ୍ ସେନାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ।
ରିପୋର୍ଟ ମୁତାବିକ୍, ପାଲେଷ୍ଟାଇନୀ ଗୋଷ୍ଠୀ ହମାସ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଇସ୍ରାଏଲ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜାରେ ତୁରନ୍ତ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେବା ପରେ ଏହି ଆକ୍ରମଣ ହୋଇଛି । ପ୍ରତ୍ୟକ୍ଷଦର୍ଶୀ ଏବଂ ହମାସ୍ ମିଡିଆ ମୁତାବିକ ନେତନ୍ୟାହୁଙ୍କ ଆଦେଶ ପରେ ଇସ୍ରାଏଲ ସେନା ଉତ୍ତର ଗାଜା ଉପରେ ବଡ଼ ଆକ୍ରମଣ କରିଛି । ଶିଫା ହସ୍ପିଟାଲ ପାଖ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ୮୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲର ପୁନଃଯୁଦ୍ଧକୁ ନେଇ ଆରବ ରାଷ୍ଟ୍ରମାନେ ଚିନ୍ତାରେ ପଡ଼ିଛନ୍ତି । ଗାଜାକୁ ନେଇ ପରବର୍ତ୍ତୀ ରଣନୀତି କ'ଣ ହେବ ସେ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି ।

ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ବୁଝାମଣାକୁ ହମାସ୍ ବାରମ୍ବାର ଉଲ୍ଲଂଘନ କରିବା ଯୋଗୁ ନେତନ୍ୟାହୁ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଫାରେ ଇସ୍ରାଏଲୀ ସେନା ଉପରେ ହମାସ୍ ପକ୍ଷରୁ ତୀବ୍ର ଆକ୍ରମଣ କରାଯିବା ପରେ ବିବାଦ ଅଧିକ ବଢ଼ିଯାଇଛି । ହମାସ୍ର ଔଦ୍ଧତ୍ୟକୁ ଦୃଷ୍ଟି ରଖି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ଜରୁରୀ ବୈଠକ କରିଥିଲେ । ବୈଠକରେ ତୁରନ୍ତ ଗାଜା ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବହୁତ ପ୍ରୟାସ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ମଧ୍ୟସ୍ଥତା କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରୟାସ ବିଫଳ ହୋଇଛି। ଟ୍ରମ୍ପ ଶାନ୍ତି ଚୁକ୍ତିନାମା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପସ୍ଥାପନ କରିଥିଲେ। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଉଥିବା ପରି ମନେ ହେଉନାହିଁ।












Click it and Unblock the Notifications