ଗାଜାକୁ ଦଖଲ କରିବ ଇସ୍ରାଏଲ , ନେତାନ୍ୟାହୁଙ୍କ ଯୋଜନାକୁ ସୁରକ୍ଷା କ୍ୟାବିନେଟରୁ ମିଳିଲା ମଞ୍ଜୁରୀ
ଥମିଛି ଯୁଦ୍ଧ, ଥମିଛି ହମ୍ଲା । ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଗାଜାପଟିରେ ଦୁର୍ଭିକ୍ଷ ଭଳି କରୁଣ ସ୍ଥିତି । ଜୁଆଡେ ଚାହିଁଲେ ହାହାକାର ପରିସ୍ଥିତି । ମାଟିରେ ମିଶିଛି ସୁନାର ଫସଲ । ଉଜୁଡିଯାଇଛି ବର୍ଷକର ଅମଳ । ନା ମୁଠାଏ ଦାନା ମିଳୁଛି ନା ଆଞ୍ଜୁଳାଏ ପାଣି ମିଳୁଛି । ସ୍ଥିତି ଏମିତି ଯେ, କୁପୋଷଣର ଶିକାର ହେଉଛନ୍ତି ଲୋକେ । ଗାଜାର ଶାସକ ହମାସ୍ ଆତଙ୍କବାଦୀଙ୍କ ବିରୋଧରେ ୨୨ ମାସ ଧରି ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍ ଏବେ ଗାଜା ସିଟିକୁ ସମ୍ପୂର୍ଣ୍ଣ ସେନା ଅକ୍ତିଆରକୁ ନେବା ପାଇଁ ଯାଉଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ଯୋଜନାକୁ ଦେଶର ସୁରକ୍ଷା କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଫଳରେ ସେଠାରେ ଉତ୍ତେଜନା ଆହୁରି ବଢ଼ିବାକୁ ଯାଉଛି। ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ଗାଜାରେ ରହିଯାଇଥିବା ଅବଶିଷ୍ଟ ୫୦ ପ୍ରତିଶତ ପଣବନ୍ଦୀଙ୍କୁ ଫେରାଇଆଣିବା ଦାବିରେ ଇସ୍ରାଏଲ୍ରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ରୂପ ନେଇଥିବା ସତ୍ତ୍ୱେ ଗାଜା ସିଟି ଅକ୍ତିଆର ପାଇଁ ନେତାନ୍ୟାହୁ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି।

ନିର୍ଣ୍ଣାୟକ ସଂଖ୍ୟାଗରିଷ୍ଠ ସୁରକ୍ଷା କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ବିଶ୍ୱାସ ଯେ, ବିକଳ୍ପ ଯୋଜନା ହମାସ୍କୁ ପରାଜିତ କରିବା କିମ୍ବା ପଣବନ୍ଦୀଙ୍କୁ ଫେରାଇଆଣିବାରେ ସଫଳ ହେବ ନାହିଁ। ତେବେ ବିକଳ୍ପ ଯୋଜନା କ'ଣ ତାହା ସ୍ପଷ୍ଟ ହୋଇନାହିଁ। ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଯୋଜନାରେ ୫ଟି ସିଦ୍ଧାନ୍ତ ରହିଛି। ସେଗୁଡ଼ିକ ହେଲା ହମାସ୍କୁ ଅସ୍ତ୍ରଶୂନ୍ୟ କରିବା, ସମସ୍ତ ପଣବନ୍ଦୀଙ୍କୁ ଫେରାଇ ଆଣିବା, ଗାଜାକୁ ସାମରିକୀକରଣରୁ ମୁକ୍ତ କରିବା, ଗାଜାକୁ ଇସ୍ରାଏଲୀ ସୁରକ୍ଷା ନିୟନ୍ତ୍ରଣରେ ରଖିବା ଏବଂ ହମାସ୍ କିମ୍ବା ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ବିନା ଏକ ନାଗରିକ ପ୍ରଶାସନ ସ୍ଥାପନ କରିବା। ଗାଜା ସିଟିକୁ ନିୟନ୍ତ୍ରଣକୁ ନେବା ଲାଗି ଇସ୍ରାଏଲୀ ସେନା ପ୍ରସ୍ତୁତି ଚଳାଇଥିବା ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।












Click it and Unblock the Notifications