ବନ୍ଦ ହେଲା ଇସ୍ରାଏଲ ହମାସ ଯୁଦ୍ଧ, ଘୋଷଣା କଲେ ଇସ୍ରାଏଲର ପ୍ରତିରକ୍ଷା ବାହିନୀ
ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହା ସହିତ ଗାଜା ଯୁଦ୍ଧ ଶେଷ ହୋଇଛି ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଇସ୍ରାଏଲରେ ୨୦୨୩ ଅକ୍ଟୋବର ୭ରେ ହମାସର ଭୟାନକ ଆକ୍ରମଣ ପରଠାରୁ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବା ପୂରା ବିଶ୍ବକୁ ଆଶ୍ବସ୍ତ କରିଛି। ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲର ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ ରଖିଥିଲେ।

ଏହାପରେ ଇସ୍ରାଏଲ ଯେଉଁ ସାମରିକ ଅଭିଯାନ ଆରମ୍ଭ କରିଥିଲା ସେଥିରେ ଗାଜା ସହରର ୯୦ ପ୍ରତିଶତ ଅଂଚଳ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି। ଆଜି ଇସ୍ରାଏଲ ସମୟ ମଧ୍ୟାହ୍ନ ୨ଟା ୩୦ ମିନିଟ୍ରୁ ସଂପୂର୍ଣ୍ଣ ଅସ୍ତ୍ରବିରତି ଲାଗୁ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ୨୦ ସୂତ୍ରୀ ଶାନ୍ତି ଯୋଜନାର ଏକ ଅଂଶ ହେଉଛି ପ୍ରାରମ୍ଭିକ ଉତ୍ତେଜନା ହ୍ରାସ କରିବା, ଯେଉଁଥିରେ ଉଭୟ ପକ୍ଷ ଶାନ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସର୍ତ୍ତାବଳୀରେ ସହମତ ହୋଇଛନ୍ତି। ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ସହିତ ଇସ୍ରାଏଲର ସେନାର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି। ସୋମବାର ସୁଦ୍ଧା ହମାସ ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିବ ଏବଂ ଇସ୍ରାଏଲ ମଧ୍ୟ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଖଲାସ ବୋଲି ଘୋଷଣା କରିଥିବାରୁ ଏହି ପ୍ରକ୍ରିୟାର ସମାପନ ଉପରେ ଅନେକ କିଛି ନିର୍ଭର କରୁଛି। ଯୁଦ୍ଧବିରତି ଓ ପଣବନ୍ଦୀଙ୍କ ମୁକ୍ତି ସଂକ୍ରାନ୍ତ ଘୋଷଣା ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଅଞ୍ଚଳରେ ଖୁସିର ଲହର ସୃଷ୍ଟି କରିଛି।
ଗାଜା ଯୁଦ୍ଧରେ ୬୭,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ବେଳେ ସମଗ୍ର ଅଂଚଳ ଭୟାନକ ଆର୍ଥିକ, ସାମାଜିକ ଓ ମାନବୀୟ ସଙ୍କଟର ସମ୍ମୁଖୀନ ହୋଇଛି। ଜାତିସଂଘ କହିଛି ଯେ ତୁରନ୍ତ ସହାୟତା ଅଭିଯାନ ଆରମ୍ଭ ନକଲେ ହଜାର ହଜାର ଗାଜାବାସୀ ଅକାଳ ମୃତ୍ୟୁର ସମ୍ମୁଖୀନ ହେବେ। ଗାଜାକୁ ତୁରନ୍ତ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ପରିବହନ କରୁଥିବା କେତେକ ଟ୍ରକ୍ ଆଜି ପ୍ରବେଶ କରିବା ଆରମ୍ଭ କରିଥିବାରୁ ପ୍ରଭାବିତ ଲୋକଙ୍କୁ ବହୁତ ବଡ଼ ଆଶ୍ବସ୍ତି ମିଳିଛି। ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଥିବା ଲକ୍ଷ ଲକ୍ଷ ବିସ୍ଥାପିକଙ୍କୁ ସହାୟତା କରିବାକୁ ଜାତିସଂଘ ଲକ୍ଷ୍ୟ ରଖିଥିବା ବେଳେ ହଜାର ହଜାର ବିସ୍ଥାପିତ ଆଜି ସେମାନଙ୍କ ମୂଳସ୍ଥାନକୁ ଫେରିଛନ୍ତି। ତେବେ ଅସ୍ତ୍ରବିରତି ସଫଳତା ସତ୍ତ୍ୱେ ଆଗକୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ରହିଛି।












Click it and Unblock the Notifications