ଆଜିଠାରୁ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି
ଶାନ୍ତ ହେବ ମଧ୍ୟପ୍ରାଚ୍ୟ । ଆଜିଠୁ ଗାଜାରେ ଗର୍ଜିବନି ବନ୍ଧୁକ । ହମାସ - ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ଆଜିଠାରୁ କାର୍ଯ୍ୟକାରୀ ହେବ। ୧୫ ମାସର ଯୁଦ୍ଧରେ ବିରାମ ଲାଗିବ। ସ୍ଥାନୀୟ ସମୟ ସକାଳ ସାଢ଼େ ୮ଟାରୁ ଅସ୍ତ୍ର ବିରତି ଆରମ୍ଭ ହେବ । ଚୁକ୍ତି ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ବଦଳରେ ୨ ହଜାର ପାଲେଷ୍ଟନୀୟ ପଣବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ । ଅସ୍ତ୍ରବିରତି ନେଇ ଦେଶବାସୀ, ବିଶେଷତଃ ବନ୍ଧକ ଥିବା ଲୋକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବନ୍ଧକ ଓ ବନ୍ଦୀ ବିନିମୟ ଅପରାହ୍ଣ ସାଢ଼େ ୪ଟାରୁ ଆରମ୍ଭ ହେବ। ଏହି ଚୁକ୍ତିରେ କତର ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ ଏବଂ ଆମେରିକୀୟ ଅଧିକାରୀମାନେ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧର ଅନ୍ତ ଘଟାଇବା ଏହି ଚୁକ୍ତିର ଲକ୍ଷ୍ୟ।
ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ଯଦି ଏହି ଅସ୍ତ୍ରବିରତି ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଇରାନ, ଲେବାନନ, ୟେମେନ, ଇରାକ ମଧ୍ଯରେ ଦେଖାଦେଇଆସିଥିବା ଉତ୍ତେଜନା ପ୍ରଶମିତ ହେବା ଆଶା ରହିଛି । ପ୍ରସ୍ତାବ ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ ।

ଇସ୍ରାଏଲ କବ୍ଜାରେ ଥିବା ୯୯୦ରୁ ୧୬୫୦ ପାଲେଷ୍ଟିନୀୟଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଇସ୍ରାଏଲ ମୁକ୍ତି ଦେବା ସମ୍ଭାବନା ରହିଛି । ଇସ୍ରାଏଲ ପକ୍ଷରୁ କୁହାଯାଉଛି ଗାଜାରେ ବର୍ତ୍ତମାନ ୯୮ ଜଣ ଇସ୍ରାଏଲୀ ପଣବନ୍ଦୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୩ ଜଣଙ୍କୁ ହମାସ ଖଲାସ କରିବା ସମ୍ଭାବନା ରହିଛି ସେମାନଙ୍କ ନାମ ଜାରି କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ଯରେ କେତେ ଜଣ ଜୀବିତ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଆମେରିକାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ଏହି ଅସ୍ତ୍ରବିରତି ଗୁରୁତ୍ବ ବହନ କରିଛି।












Click it and Unblock the Notifications