Los Angeles Wildfire: ଆମେରିକାକୁ ସହାୟତାର ହାତ ବଢ଼ାଇଲା ଇରାନ
ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁ ଆଁରେ ପଶିଗଲାଣି ଜନବସତି। ଏହା ଥମିବାର ନାଁ ଧରୁନାହିଁ। ନିଆଁ ସହ ଚାରିଆଡେ ବ୍ୟାପିବାରେ ଲାଗିଛି ଧୂଆଁ। ଲସ୍ ଏଞ୍ଜଲିସ୍ରେ ଲାଗିଥିବା ନିଆଁ ବିକରାଳ ରୂପ ଧାରଣ କରି ଜନବସତି ଆଡକୁ ବଢ଼ି ଚାଳିଛି। ବର୍ତ୍ତମାନ ସୁଦ୍ଧା ଏହି ନିଆଁରେ ପୋଡି ୧୬ ଜଣଙ୍କ ଜୀବନ ଗଲାଣି। ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।
ନିଆଁ ଲିଭାଇବା ପାଇଁ ସରକାର ଲାଗି ପଡିଛନ୍ତି। ତଥାପି ନିଆଁ ଆୟତ୍ତ ହେଉନାହିଁ।ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ଆମେରିକାକୁ ସହାୟତାର ହାତ ବଢ଼ାଇଛି। ଇରାନର ରେଡ୍ କ୍ରେସେଣ୍ଟ ସୋସାଇଟି (ଆଇଆରସିଟିସି) ଦ୍ୱାରା ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଆଇଆରସିଟିସି ହେଡ୍ ପିରହୁସେନ କୋଲିଭାନ୍ଦ ଆମେରିକୀୟ ରେଡ୍କ୍ରସର ସିଇଓ କ୍ଲିଫ ହୋଲଜଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି।
ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି ବିପର୍ଯ୍ୟୟରେ ଆମେରିକାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅଗ୍ନିକାଣ୍ଡ ଦେଖି ଇରାନ ନିଜର ଶତ୍ରୁତାକୁ ଭୁଲି ଏବେ ସହାୟତାର ହାତ ବଢ଼ାଇଛି।
ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, କୋଲିଭାନ୍ଦ ହୋଟେଜଙ୍କୁ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ମୁଁ ଇରାନ ରେଡ୍କ୍ରସ ସୋସାଇଟି ତରଫରୁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଏହି କଷ୍ଟ ସମୟରେ ଆପଣ ଏକା ନୁହଁନ୍ତି। ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ।
ଆମର ଆଇଆରସିଏସ ତୁରନ୍ତ ଏହାର ବିଶେଷ ଦ୍ରୁତ ପ୍ରତିକ୍ରିୟା ଦଳ, ଉଦ୍ଧାର ଉପକରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଆମେରିକା ପଠାଇବାକୁ ପ୍ରସ୍ତୁତ। ମୁଁ ମଧ୍ୟ ଆପଣଙ୍କୁ କହିବାକୁ ଚାହେଁ ଯେ, ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା କରିବାରେ ଆମର ଦୀର୍ଘ ଅଭିଜ୍ଞତା ଅଛି। ଆମେ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛୁ। ଯାହା ଦ୍ବାରା ଆବଶ୍ୟକ ପରବର୍ତ୍ତୀ ଆଲୋଚନା ହୋଇପାରିବ ଏବଂ ସମନ୍ୱୟ ରକ୍ଷା କରାଯାଇ ପାରିବ।

ଲସ୍ ଏଞ୍ଜଲିସ କାଉଣ୍ଟି ପୁଲିସ ବିଭାଗ କହିଛି ବର୍ତ୍ତମାନ ସୁଦ୍ଧା ନିଆଁରେ ପୋଡି ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ଜଣ ଏବେବି ନିଖୋଜ ଅଛନ୍ତି। ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ସନ୍ଦାନୀ କୁକୁର ସ୍କ୍ୱାଡ୍ ସହାୟତାରେ ଅଗ୍ନି ପ୍ରଭାବିତ ଅଞ୍ଚଳରେ ଥିବା ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକାରେ ସର୍ଚ୍ଚ ଅପରେସନ ଚାଲିଛି।
ସୂଚନା ମୁତାବକ, କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଜାନୁଆରୀ ୭ ତାରିଖରେ ଲାଗିଥିଲା, ଯାହା ଏକ ସପ୍ତାହ ପରେ ମଧ୍ୟ ଥମିବାର ନାଁ ଧରୁନି। ନିଆଁ ଲିଭାଇବା ପାଇଁ ଆକାଶ ମାର୍ଗରୁ ପାଣି ସିଞ୍ଜନ ଚାଲିଛି ତଥାପି ନିଆଁ ଆୟତ୍ତ ହେଉନାହିଁ।












Click it and Unblock the Notifications