ସରକାର ବିରୋଧୀ ହିଂସା ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କଲେ ଇରାନ ରାଷ୍ଟ୍ରପତି ମାସୁଦ୍
ଇରାନରେ ଚାଲିଥିବା ସରକାର ବିରୋଧୀ ବିଦ୍ରୋହ ଓ ହିଂସା ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛନ୍ତି ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ। ରବିବାର ଦେଶର ରାଷ୍ଟ୍ରାୟତ୍ତ ଟେଲିଭିଜନ ଚାନେଲରେ ପେଜେସ୍କିଆନ କହିଛନ୍ତି ଯେ ଇରାନରେ ଅସ୍ଥିରତା ସୃଷ୍ଟି କରିବା ପୂର୍ବକ ଆୟାତୋଲା ଅଲି ଖାମେନେଇଙ୍କ ନେତୃତ୍ବାଧୀନ ସରକାରର ପତନ ଘଟାଇବା ଲକ୍ଷ୍ୟରେ ଆମେରିକା ଓ ଇସ୍ରାଏଲ ଯୋଜନା କରିଛନ୍ତି। ଏପରି କି ଇରାନରେ ଅସ୍ଥିରତା ଓ ଆନ୍ଦୋଳନ ପାଇଁ ଏହି ଦୁଇ ଦେଶ ନିଜର ଆତଙ୍କବାଦୀଙ୍କୁ ପଠାଇଛନ୍ତି। ଆମେରିକା ଓ ଇସ୍ରାଏଲ ପ୍ରେରିତ ଆତଙ୍କବାଦୀମାନେ ଇରାନରେ ରହି ବିକ୍ଷୋଭ ଓ ହିଂସାକୁ ଉସୁକାଉଛନ୍ତି। ଆଉ ଏପରି ବିଦେଶୀ ଆତଙ୍କବାଦୀଙ୍କ ଠାରୁ ଦୂରେଇ ରହିବା ଲାଗି ପେଜେସ୍କିଆନ୍ ଇରାନବାସୀଙ୍କୁ କହିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଗତ ଦୁଇ ସପ୍ତାହ ହେଲା ଇରାନରେ ବିକ୍ଷୋଭ ଓ ଆନ୍ଦୋଳନ ଲାଗି ରହିଛି। ବିକ୍ଷୋଭ ଏବେ ସାରା ଦେଶକୁ ବ୍ୟାପୀଥିବାବେଳେ ଏଥିରେ ଶତାଧିକ ନାଗରିକ ପ୍ରାଣ ହରାଇଲେଣି। ବିକ୍ଷୋଭକାରୀମାନେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସରକାରର ବରଖାସ୍ତ ଦାବି କରିଛନ୍ତି।

ଅନ୍ୟପଟେ ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ଦିଗରେ ସେ ଉଦ୍ୟମ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଅର୍ଥନୀତି ବିପର୍ଯ୍ୟୟ ହେବା ବିରୋଧରେ ଲୋକଙ୍କ ଆକ୍ରୋଶ ଯଥାର୍ଥ। ମାତ୍ର ଏହି ଆକ୍ରୋଶ ପାଇଁ ଦେଶର ସମ୍ପତ୍ତିକୁ ନଷ୍ଟ କରିବା ପୂର୍ବକ ହିଂସା ଘଟାଇବା ଠିକ୍ ନୁହେଁ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ରାସ୍ତା ବାହାର କରାଯିବ। ଇରାନରେ ଲାଗି ରହିଥିବା ସରକାର ବିରୋଧୀ ହିଂସାରେ ୨୦୦ରୁ ଅଧିକଙ୍କର ମୃତ୍ୟୁ ହେଲାଣି। ଏହା ସହିତ ୨୬୦୦ ଜଣଙ୍କୁ ଗିରଫ କରାଗଲାଣି।












Click it and Unblock the Notifications