ପରମାଣୁ ଉପରେ ଇରାନର ବଡ଼ ନିଷ୍ପତ୍ତି, ଜାଣନ୍ତୁ ତାହା କ’ଣ?
ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ୍ ଅର୍ଭାଚି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ସହ ଆଲୋଚନା କାଳରେ ଇରାନ୍ ତା'ର ପରମାଣୁ ଅଧିକାରରୁ ପଛକୁ ଫେରିବ ନାହିଁ । ଦୋହାଠାରେ ଚାଲିଥିବା ଚତୁର୍ଥ ଆରବ ଇରାନିଆ ଆଲୋଚନା ସମ୍ମିଳନୀରେ ଗତକାଲି ଯୋଗଦେଇ ଶ୍ରୀ ଅର୍ଭାଚି ଏହା କହିଛନ୍ତି । ପରମାଣୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ଇରାନ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି ଏବଂ ଭବିଷ୍ୟତରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଭାବେ ବ୍ୟବହାର ଅଧିକାରକୁ ବଜାୟ ରଖିବ ବୋଲି ଶ୍ରୀ ଅର୍ଭାଚି ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ନେଇ ଇରାନ କାର୍ଯ୍ୟ କରୁନାହିଁ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ ପରମାଣୁ ଅସ୍ତ୍ର ଉପଯୋଗକୁ ପ୍ରତିହତ କରିବା ପାଇଁ ଇରାନର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି । ଆମେରିକା ସହ ଏନେଇ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଇରାନ୍ ପ୍ରସ୍ତୁତ ଅଛି ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ମଧ୍ୟ ଇରାନ୍ ଆଲୋଚନା କରିବ ବୋଲି ସେ କହିଛନ୍ତି । ଯଦି ଇରାନ୍କୁ ଏହାର ପରମାଣୁ ଅଧିକାରରୁ ଦୂରେଇ ରଖିବା ପାଇଁ ପ୍ରୟାସ କରାଯାଏ ତେବେ ସେଥିରେ ଇରାନ୍ ସହଯୋଗ ପ୍ରଦାନ କରିବ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଓମାନ୍ଠାରେ ଆଜି ଇରାନ୍ ଏବଂ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମ ନେଇ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହେବ ।












Click it and Unblock the Notifications