ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ
ଆମେରିକା ଓ ଇସ୍ରାଏଲ ପକ୍ଷରୁ ମିଳିତଭାବେ ଇରାନ ବିପକ୍ଷରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଦ୍ବିତୀୟ ସପ୍ତାହ ଅତିକ୍ରମ କରିବାକୁ ଯାଉଛି। ଉଭୟପକ୍ଷ ପରସ୍ପର ବିରୋଧରେ ଆକ୍ରମଣ, ପ୍ରତିଆକ୍ରମଣ ଜାରି ରଖିଥିବାବେଳେ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଯୁଦ୍ଧ ବନ୍ଦ ପାଇଁ ଜାତିସଂଘ ସମେତ ଏକାଧିକ ରାଷ୍ଟ୍ର ଉଦ୍ୟମ ଚଳାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ। ତେବେ ଯୁଦ୍ଧ ବନ୍ଦ କରିବାକୁ ଇରାନ ୩ଟି ସର୍ତ୍ତ ରଖିଥିବା ଜଣାପଡିଛି।

ଏ ସମ୍ପର୍କରେ ସୂଚନା ଦେଇ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ପ୍ରଥମ ସର୍ତ୍ତ ହେଲା: ଇରାନର ବୈଧ ଅଧିକାରକୁ ସବୁ ରାଷ୍ଟ୍ର ସ୍ବୀକାର କରିବା ଉଚିତ। ଦ୍ବିତୀୟ ସର୍ତ୍ତ ଅନୁଯାୟୀ ଏ ପର୍ଯ୍ୟନ୍ତ ଯୁଦ୍ଧରେ ଇରାନର ଯାହା କ୍ଷତି ଘଟିଛି, ତାହା ପୂରଣ କରାଯାଉ। ତୃତୀୟରେ ଭବିଷ୍ୟତରେ କୌଣସି ରାଷ୍ଟ୍ର ଇରାନ ଉପରେ ଆକ୍ରମଣ କରିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି। ମଧ୍ୟପ୍ରାଚ୍ୟରେ ଶାନ୍ତି ଅବସ୍ଥା ବଜାୟ ରଖିବା ଇରାନର ଲକ୍ଷ୍ୟ। ତେବେ ପରିସ୍ଥିତି ଏହାକୁ ଯୁଦ୍ଧ ପାଇଁ ବାଧ୍ୟ କରିଛି ବୋଲି ପେଜେସ୍କିଆନ କହିଛନ୍ତି। ଅପରପକ୍ଷରେ ଇରାନର ଏଭଳି ସର୍ତ୍ତ ପ୍ରସଙ୍ଗରେ ଆମେରିକା କିମ୍ବା ଇସ୍ରାଏଲ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।












Click it and Unblock the Notifications