ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼!
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଇରାନୀ ସେନା ମୁଖ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯାହାର ଜବାବରେ ଇରାନ ଏବେ ଏକ ବଡ଼ ଦାବି କରିଛି ଏବଂ କହିଛି ଯେ, ଆମର ସେନା ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଇରାନ ସମର୍ଥକ ଗଣମାଧ୍ୟମ ସଂଗଠନ "ଇରାନ ଅବଜରଭର" ନିଜର ଏକ୍ସ ହ୍ୟାଣ୍ଡେଲରେ ଏହି ଆକ୍ରମଣର ଭିଡିଓ ସେୟାର କରିଛି।

ରାନର ସେମି-ଅଫିସିଆଲ ତସନିମ ନ୍ୟୁଜ ଏଜେନ୍ସି ଏବଂ ତେହେରାନ ଟାଇମ୍ସ ଅନୁସାରେ, IRGC ନିଜର 'ଟ୍ରୁ ପ୍ରମିସ ୩' ଅପରେସନର ଅଂଶ ଭାବେ ତେଲ ଅଭିଭ ମେଟ୍ରୋପଲିଟାନ ଅଞ୍ଚଳରେ ଥିବା ମୋସାଦ ଓ ଆମାନ କେନ୍ଦ୍ରକୁ ନିଶ୍ଚିହ୍ନ କରିଛି। ସୋସିଆଲ ମିଡିଆରେ ପ୍ରଚାରିତ ଭିଡିଓରେ ତେଲ ଅଭିଭରେ ଧୂଆଁ ଓ ନିଆଁ ଦେଖାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ IRGC ନିଜର ସଫଳ ଆକ୍ରମଣର ପ୍ରମାଣ ବୋଲି ଦାବି କରିଛି। ଇରାନ କହିଛି ଯେ, ଏହି ଆକ୍ରମଣ ଇସ୍ରାଏଲର ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି ସଫଳ ହୋଇଛି ଏବଂ ଏହା ଇସ୍ରାଏଲର ପୂର୍ବତନ ଆକ୍ରମଣର ପ୍ରତିଶୋଧ।
ତେବେ ଇସ୍ରାଏଲ ସୈନ୍ୟ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ କହିଛନ୍ତି ଯେ, ଇରାନର ମିସାଇଲ ଆକ୍ରମଣ ବେଶି କ୍ଷତି କରିନାହିଁ। ଇସ୍ରାଏଲର ଆଇରନ ଡୋମ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ମିସାଇଲ ଓ ଡ୍ରୋନକୁ ଆକାଶରେ ଧ୍ୱଂସ କରିଛି। ଇସ୍ରାଏଲ ମିଡିଆ ଅନୁସାରେ, କିଛି ମିସାଇଲ ତେଲ ଅଭିଭ ଓ ହେର୍ଜଲିୟାରେ ଆଘାତ ହାନିଛି, କିନ୍ତୁ ମୋସାଦ ମୁଖ୍ୟାଳୟ କିମ୍ବା ଆମାନ କେନ୍ଦ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ। ଇସ୍ରାଏଲ କହିଛି ଯେ, ଇରାନର ଆକ୍ରମଣ ଏକ ବାସ ପାର୍କିଂ ଲଟ ଓ କିଛି ଆବାସିକ ଅଞ୍ଚଳରେ ସୀମିତ ରହିଛି।












Click it and Unblock the Notifications