ରୁଷ ସେନା ପକ୍ଷରୁ ଯୁଦ୍ଧ କରୁଥିବା ଭାରତୀୟ ଯୁବକ ୟୁକ୍ରେନରେ ଗିରଫ!
ରୁଷ ସେନା ପାଇଁ ଯୁଦ୍ଧ କରୁଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଯୁବକଙ୍କୁ ୟୁକ୍ରେନ ଗିରଫ କରିଥିବା ଦାବି କରିଛି। ତେବେ ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।ୟୁକ୍ରେନ ସାମରିକ ଅଧିକାରୀ କହିଛନ୍ତି ଯେ, ଗୁଜୁରାଟର ମୋରବିର ମୂଳ ବାସିନ୍ଦା ମାଜୋତି ଯୁଦ୍ଧକ୍ଷେତ୍ରରେ ମାତ୍ର ତିନି ଦିନ ରହିବା ପରେ ୬୩ତମ ଯାନ୍ତ୍ରିକ ବ୍ରିଗେଡ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। କିବ୍ରେ ଥିବା ଭାରତୀୟ ଦୂତାବାସ ଏହି ରିପୋର୍ଟର ସତ୍ୟତା ଯାଞ୍ଚ ଆରମ୍ଭ କରିଛି।
ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଯୋଗାଯୋଗ କରାଯାଇ ନାହିଁ। ୟୁକ୍ରେନ ସେନା ଏହାର ଟେଲିଗ୍ରାମ୍ ପୋଷ୍ଟରେ ଅଭିଯୋଗ କରିଛି ଯେ, ହୁସେନ ପ୍ରଥମେ ଅଧ୍ୟୟନ କରିବାକୁ ରୁଷ୍ ଯାଇଥିଲେ କିନ୍ତୁ ପରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଗିରଫ ହୋଇ ସାତ ବର୍ଷର କାରାଦଣ୍ଡାଦେଶ ପାଇଥିଲେ। ବ୍ରିଗେଡ୍ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି, ଯେଉଁଥିରେ ହୁସେନ୍ ରୁଷୀୟ ଭାଷାରେ କଥାବାର୍ତ୍ତା କରୁଥିବା ଏବଂ ଜେଲ୍ ଦଣ୍ଡରୁ ରକ୍ଷା ପାଇବା ପାଇଁ ସେ ରୁଷ୍ ସେନାରେ ଯୋଗ ଦେଇଥିବା ସ୍ୱୀକାର କରୁଥିବା ଦେଖାଯାଇଛି।

ସମାନ ଭିଡିଓରେ, ହୁସେନ୍ ବର୍ଣ୍ଣନା କରିଛନ୍ତି ଯେ ଅକ୍ଟୋବର ୧ରେ ସମ୍ମୁଖ ଯୁଦ୍ଧକୁ ପଠାଯିବା ପୂର୍ବରୁ ସେ ମାତ୍ର ୧୬ ଦିନର ମୌଳିକ ତାଲିମ ପାଇଥିଲେ। ତାଙ୍କ କମାଣ୍ଡରଙ୍କ ସହ ମତଭେଦ ପରେ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହୁସେନ୍ ଦାବି କରିଛନ୍ତି ଯେ, ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ଟଙ୍କା ସେ କେବେ ପାଇ ନାହାନ୍ତି। ସେ ମଧ୍ୟ କହିଛନ୍ତି ଯେ ସେ ରୁଷ୍କୁ ଫେରିବାକୁ ଚାହୁନାହାନ୍ତି। ଗତ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ନିଶ୍ଚିତ କରିଥିଲା ଯେ, ବର୍ତ୍ତମାନ ରୁଷ୍ ସେନାରେ କାର୍ଯ୍ୟ କରୁଥିବା ୨୭ ଜଣ ଭାରତୀୟଙ୍କୁ ମୁକ୍ତ କରି ଫେରାଇ ଆଣିବା ପାଇଁ ଭାରତ ମସ୍କୋ ଉପରେ ଚାପ ପକାଇଛି।












Click it and Unblock the Notifications