ଆଜିଠାରୁ ଆରମ୍ଭ ହେବ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା
ଆଜିଠାରୁ ଆରମ୍ଭ ହେବ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଦିଥିବା ବେଳେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଟ୍ରେଡ ଡିଲ ହୋଇପାରିନାହିଁ । ଆଜିଠାରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ନୂଆ ପର୍ଯ୍ୟାୟ ଆଲୋଚନା । ଏନେଇ ଗତକାଲି ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର ।

ଏହି ଅବସରରେ ଆମେରିକା ପାଇଁ ଭାରତର ସହଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବନିଯୁକ୍ତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପଙ୍କ ପ୍ରକୃତ ବନ୍ଧୁତା ରହିଛି । କିଛି ପ୍ରସଙ୍ଗରେ ମତଭେଦ ଥିଲେ ବି ଏହାକୁ ଆମେ ଆଲୋଚନା ମାଧ୍ୟମରେ ଦୂରେଇବୁ । ଆମେରିକା ଓ ଭାରତର ବନ୍ଧୁତାରେ କୌଣସି ଫାଟ ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ଗୋର । ଉଭୟ ଦେଶ ସୁରକ୍ଷା, ଆତଙ୍କବାଦ ନିରୋଧ, ଶକ୍ତି, ପ୍ରଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକାଠି କାମ କରିବେ ବୋଲି କହିଛନ୍ତି ଗୋର । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ଦାୟିତ୍ୱ ନେବା ପରେ ଭାରତ ସହ ସମ୍ପର୍କ ବିଗିଡିଛି ।
ସେପଟେ ଋଷ ଠାରୁ ତେଲ କିଣାକୁ ନେଇ ଭାରତ ଉପରେ ୫ ଶହ ପ୍ରତିଶତ ଟାରିଫ ଲାଗୁ କରିବାକୁ ଆମେରିକା ସଂସଦରେ ବିଲ ଆଗତ ହେବାକୁ ଯାଉଛି । ତେବେ ସର୍ଗିଓ ଗୋର ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବା ସମ୍ଭାବନା ସୃଷ୍ଟି ହୋଇଛି ।












Click it and Unblock the Notifications