ସଂଖ୍ୟାଲଘୁଙ୍କ ସୁରକ୍ଷା ଆଇନ ଆଣିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ହିନ୍ଦୁ
ଢାକା: ବାଂଲାଦେଶର ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ହିନ୍ଦୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକଜୁଟ ହୋଇଛନ୍ତି। ଶନିବାର ଦିନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଲୋକ ରାସ୍ତାରେ ରାଲି କରି ନିଜର ଏକତା ପ୍ରଦର୍ଶନ କରିଛନ୍ତି ।
ବାଂଲାଦେଶର ରାଜଧାନୀ ଢାକା ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟଗାଓଁରେ ବହୁ ସଂଖ୍ୟାରେ ପ୍ରଦର୍ଶନ କରି ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସାକୁ ବିରୋଧ କରିଥିଲେ। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦% ଆସନ ସଂରକ୍ଷଣ ଓ ଏକ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା ସମେତ ଅନ୍ୟାନ୍ୟ ଦାବି କରି ଗତକାଲି ହିନ୍ଦୁମାନେ ଢାକାର ଶାହବାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜାର ମୁସଲିମ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଫଳରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା। ସେହିପରି ଚିଟ୍ଟାଗଙ୍ଗରେ ଲକ୍ଷାଧିକ ହିନ୍ଦୁ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁହାଯାଉଛି, ଏହି ଦୁଇ ସ୍ଥାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ୭ ଲକ୍ଷରୁ ଅଧିକ ଲୋକ ଜମା ହୋଇଥିଲେ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ନେତା ମହମ୍ମଦ ୟୁନୁସ ମଧ୍ୟ ଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଏକ ଭାବପ୍ରବଣ ଅପିଲ କରିଛନ୍ତି। ସେ ଏନେଇ ଅସନ୍ତୋଷ ପ୍ରକାଶ କରି ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଥିଲେ। ଏହା ସହ ସେ ଛାତ୍ରମାନଙ୍କୁ ଦେଶରେ ବାସ କରୁଥିବା ହିନ୍ଦୁ, ଖ୍ରୀଷ୍ଟିଆନ୍ ଏବଂ ବୌଦ୍ଧଙ୍କୁ ସୁରକ୍ଷା ଦେବାକୁ ଅପିଲ୍ କରିଛନ୍ତି।
ସେ ଛାତ୍ରମାନଙ୍କୁ ପ୍ରଶ୍ନ କରିଛନ୍ତି କ'ଣ ସେମାନେ ଆମ ଦେଶର ଲୋକ ନୁହନ୍ତି? ଯଦି ତୁମେ ଦେଶକୁ ବଞ୍ଚାଇଛ, ତୁମେ କିଛି ପରିବାରକୁ କାହିଁକି ବଞ୍ଚାଇ ପାରିବ ନାହିଁ? ତୁମେ କହିବା ଉଚିତ ଯେ କାହାରି କିଛି କ୍ଷତି ହେବ ନାହିଁ। ସେମାନେ ଆମର ଭାଇ। ଆମେ ଏକାଠି ଲଢ଼ିଛେ ଏବଂ ଏକାଠି ରହିବା।












Click it and Unblock the Notifications