୪ ଇସ୍ରାଏଲ୍ ମହିଳା ସୈନ୍ୟଙ୍କୁ ମୁକ୍ତକଲା ହମାସ୍
ଗାଜା ସହରର ପାଲେଷ୍ଟାଇନ ଛକରେ ବନ୍ଧୁକଧାରୀ ଓ ଜନସମାଗମ ହୋଇଥିବା ବେଳେ ୪ ଜଣ ମହିଳା ବନ୍ଦୀମାନଙ୍କୁ ରେଡକ୍ରସକୁ ମୁକ୍ତ କରାଯାଇଛି। ଅସ୍ତ୍ରବିରତି ଚୁକ୍ତିରେ ସହମତି ହେବା ପରେ ମୁକ୍ତ ହୋଇଥିବା ବନ୍ଦୀମାନଙ୍କର ଦ୍ୱିତୀୟ ପର୍ଯ୍ୟାୟରେ ଚାରି ଜଣ ମହିଳା ବନ୍ଦୀଙ୍କୁ ମୁକ୍ତ କରାଯାଇଛି। ସେମାନେ ହେଉଛନ୍ତି ଇସ୍ରାଏଲ ସୈନିକ, ଯେଉଁମାନଙ୍କୁ ୨୦୨୩ ଅକ୍ଟୋବର ୭ ରେ ଅପହରଣ କରି ବନ୍ଦୀ ଭାବେ ରଖାଯାଇଥିଲା।
ମୁକ୍ତ ହୋଇଥିବା ସମ୍ପୃକ୍ତ ବନ୍ଦୀମାନେ ହେଉଛନ୍ତି ୨୦ ବର୍ଷୀୟ କରିନା ଆରିବ, ଡାନିଏଲା ଗିଲବୋଆ, ନାମା ଲେଭି ଓ ୧୯ ବର୍ଷୀୟ ଲିରି ଅଲବାଗ। ହମାସ୍ ସେମାନଙ୍କୁ ଆଣି ରେଡ୍କ୍ରସ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କ ଗାଡ଼ି ଗାଜା ଛାଡ଼ିଛି। ଏହା ବଦଳରେ ଇସ୍ରାଏଲ୍ ୨୦୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମଧ୍ୟରୁ ପ୍ରଥମ ଦଫାରେ ୭୦ ଜଣଙ୍କୁ ମୁକ୍ତ କରିଦେଇଛି। ଗତ ଶନିବାର ଯୁଦ୍ଧବିରତିର ପ୍ରଥମ ଦିନରେ ହମାସ୍ ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ଏବଂ ଏହା ବଦଳରେ ଇସ୍ରାଏଲ୍ ୯୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡ଼ିଦେଇଥିଲା।

ମୁକ୍ତ ହୋଇଥିବା ଇସ୍ରାଏଲୀ ମହିଳା ସୈନ୍ୟ ଗାଜା ସିଟି ପାଲେଷ୍ଟାଇନ୍ ସ୍କୋୟାରରେ ଏକ ମଞ୍ଚ ଉପରେ ଛିଡ଼ାହୋଇ ଉପସ୍ଥିତ ଲୋକମାନଙ୍କୁ ହାତ ହଲାଉଥିବା ଦେଖାଯାଇଛି। ସେମାନେ ସେନା ପୋଷାକରେ ଥିଲେ। ଇସ୍ରାଏଲ୍ ୭୦ ବନ୍ଦୀଙ୍କୁ ମୁକ୍ତ କରିଥିଲେ ମଧ୍ୟ ସେମାନଙ୍କୁ ଗାଜା ଷ୍ଟ୍ରିପ୍ କିମ୍ବା ଓ୍ବେଷ୍ଟବ୍ୟାଙ୍କ ଯିବାକୁ ଅନୁମତି ମିଳିନାହିଁ। ସେମାନେ ଇଜିପ୍ଟ ପାର୍ଶ୍ୱର ରାଫାହ ସୀମାରେ ପହଞ୍ଚିଛନ୍ତି। ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ପାଇଁ ଇଜିପ୍ଟ ଅନ୍ୟତମ ମୁଖ୍ୟ ମଧ୍ୟସ୍ଥ ଭାବେ ବର୍ଷେ ହେଲା ଉଦ୍ୟମ ଚଳାଇଥିଲା।












Click it and Unblock the Notifications