ଭୁଶୁଡ଼ିବାକୁ ଯାଉଛି ଭାରତ-ଆମେରିକା ସମ୍ପର୍କ!
ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି । ସେ କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ଏବେ ଭୁଶୁଡ଼ିବାକୁ ଯାଉଛି । ଯଦି ଆମେରିକା ଚୀନର ବଢ଼ୁଥିବା ମହତ୍ତ୍ବାକାଂକ୍ଷାକୁ ରୋକିବାକୁ ଚାହେଁ ତେବେ ଭାରତ ସହ ସମ୍ପର୍କକୁ ପ୍ରାଥମିକତା ଦେବାକୁ ପଡ଼ିବ । ବୁଧବାର ନ୍ୟୁଜୱିକ୍ରେ ପ୍ରକାଶିତ ଏକ ଲେଖାରେ ହେଲି ଲେଖିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଚୀନର ମୁକାବିଲା କରିବା ପାଇଁ, ଆମେରିକାକୁ ଭାରତ ଭଳି ବନ୍ଧୁର ଆବଶ୍ୟକତା ଅଛି ବୋଲି ସେ ଲେଖିଛନ୍ତି।
ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରଠାରୁ ଭାରତ-ଆମେରିକା ସମ୍ପର୍କ ଖରାପ ହେବାରେ ଲାଗିଛି। ନିକ୍କି ଆହୁରି କହିଛନ୍ତି, ଚୀନ ସାରା ବିଶ୍ବକୁ ନିୟନ୍ତ୍ରଣ କରିବା ଲାଗି ଯୋଜନା କରୁଛି। ଟ୍ରମ୍ପ ପ୍ରଶାସନର ଋଷ ତେଲ ଓ ଟାରିଫ୍ ବିବାଦ କାରଣରୁ ବିଶ୍ବର ଦୁଇ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭିତରେ ସମ୍ପର୍କ ଖରାପ ହେବାରେ ଲାଗିଛି ବୋଲି ନିକ୍କି ହେଲି କହିଛନ୍ତି ।

ସେହିପରି ହେଲି ଚେତାବନୀ ଦେଇ ଆହୁରି କହିଛନ୍ତି ଯେ ଏସିଆରେ ଚୀନ୍ ଆଧିପତ୍ୟକୁ ପ୍ରତିହତ କରିପାରୁଥିବା ଏକମାତ୍ର ଦେଶ ସହିତ ୨୫ ବର୍ଷର ଗତିକୁ ରୋକିବା ଏକ ରଣନୈତିକ ବିପର୍ଯ୍ୟୟ ହେବ। ସେ କହିଛନ୍ତି ଯେ ୱାଶିଂଟନକୁ ଏହାର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ଚୀନ୍ ଠାରୁ ଦୂରେଇ ରଖିବା ପାଇଁ ନୂଆଦିଲ୍ଲୀର ସାହାଯ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି ।












Click it and Unblock the Notifications