୪୭୧ ଦିନ ପରେ ହମାସ କବଳରୁ ମିଳିଲା ମୁକ୍ତି, ଘରକୁ ବାହୁଡିଲେ ୩ ବନ୍ଧକ ମହିଳା
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ହମାସ ବନ୍ଧକଙ୍କ ତାଲିକା ଶେୟାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧବିରତି କାର୍ଯ୍ୟକାରୀ ହେବ ନାହିଁ। କିନ୍ତୁ ହମାସ ଏବେ ତିନି ଜଣ ମହିଳା ବନ୍ଧକଙ୍କ ନାମ ପ୍ରକାଶ କରିଛି। ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି ରବିବାର ପ୍ରାୟ ୩ ଘଣ୍ଟା ବିଳମ୍ବରେ ଲାଗୁ ହୋଇଛି ।
ଶନିବାର ଇସ୍ରାଏଲ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲଗାଇଥିଲା । ଚୁକ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ବନ୍ଧକଙ୍କୁ ଛାଡ଼ିବା ନେଇ କୁହାଯାଇଥିଲା । କିନ୍ତୁ ଏହା ୩ ଜଣଙ୍କୁ ମୁକ୍ତ କରିଛି । ରବିବାର ପୂର୍ବାହ୍ନ ୧୧ଟା ୩୦ରେ ଯୁଦ୍ଧବିରତି ଚୁକ୍ତି ଲାଗୁ ହେବାର ଥିଲା । ଏହା ଅପରାହ୍ନ ୨ଟା ୪୫ରେ କାର୍ଯ୍ୟକାରୀ ହୋଇଛି । ରେଡ୍କ୍ରସ୍ ଟିମ୍ ଇସ୍ରାଏଲୀ ବନ୍ଧକଙ୍କୁ ଆଣି ଫେରି ଆସିଛି । ରବିବାରଠାରୁ ଲାଗୁ ହୋଇଥିବା ଯୁଦ୍ଧବିରତି ମୁତାବକ, ହମାସ ଇସ୍ରାଏଲ୍ର ୩ ବନ୍ଧକଙ୍କୁ ମୁକ୍ତ କରିଛି ।
ଏମାନଙ୍କୁ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ମୁକ୍ତ କରାଯାଇଛି । ହମାସ ତରଫରୁ ଯେଉଁ ୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ରୋମି ଗୋନେନ, ଏମିଲୀ ଦାମାରୀ ଓ ଡୋରୋନ ଷ୍ଟୀନବ୍ରେଚର । ଜଣେ ପାଲେଷ୍ଟାଇନ୍ ଅଧିକାରୀ କହିଛନ୍ତି ଯେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟସ୍ଥିମାନେ ୪୮ ଘଣ୍ଟା ଶାନ୍ତ ରହିବାକୁ ଉଭୟ ପକ୍ଷଙ୍କୁ କହିଥିଲେ। ତେବେ ଇସ୍ରାଏଲ ଏହାକୁ ଗ୍ରହଣ କରିନଥିଲା ଏବଂ ଏହି ପ୍ରକ୍ରିୟାରେ ଅସ୍ତ୍ରବିରତି ଲାଗୁ ହେବାପାଇଁ ୩ ଘଣ୍ଟା ବିଳମ୍ବ ହୋଇଥିଲା।
ଅନ୍ୟପକ୍ଷରେ ତାଲିକା ମିଳିବାରେ ବିଳମ୍ବ ଯୋଗୁଁ ହିଁ ଏଭଳି ସ୍ଥିତି ଉପୁଜିଲା ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି । ଆଜି ଯେଉଁ ଇସ୍ରାଏଲୀ ବନ୍ଧକମାନଙ୍କୁ ହମାସ ମୁକ୍ତ କରିଛି, ସେମାନେ ହେଲେ ରୋମି ଗୋନ୍, ଡୋରନ୍ ଷ୍ଟେନ୍ବ୍ରେଚର ଏବଂ ଏମିଲି ଡାମାରୀ । ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ପରେ ଶତାଧିକ ଲୋକଙ୍କୁ ଅପହରଣ କରିନେଇଥିଲେ।

ଏହାପରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା। ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଗାଜାର ୮୦ ପ୍ରତିଶତ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ୬୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ଜାତିସଂଘ ସୂତ୍ରରୁ କୁହାଯାଇଛି। ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିପଦ ମୁହାଁ କରିଥିବା ବେଳେ ଇସ୍ରାଏଲ ଓ ଏହାର ଶତ୍ରୁ ଇରାନ ମଧ୍ୟରେ ବି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ କରିଥିଲେ।
ଇସ୍ରାଏଲ ସେନା ଗାଜାର ରାଫା ଅଞ୍ଚଳରୁ ଆଜି ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର ଆରମ୍ଭ କରିବା ଲୋକଙ୍କୁ ଆଶ୍ବସ୍ତ କରିଛି ଏବଂ ରିଲିଫ୍ ଶିବିରରେ ରହୁଥିବା ବାସହରାମାନେ ସେମାନଙ୍କ ଧ୍ବସ୍ତବିଧ୍ବସ୍ତ ବାସସ୍ଥାନ ଅଂଚଳକୁ ଫେରିବା ଆରମ୍ଭ କରିଛନ୍ତି।












Click it and Unblock the Notifications