ଗାଜା ଓ ଲେବାନନ୍ ଯୁଦ୍ଧ ; ଏକାଠି ହେଲେ ମୁସଲମାନ ଦେଶର ନେତା
ସାଉଦି ଆରବର ରାଜଧାନୀ ରିୟାଦରେ ବିଶ୍ବର ବିଭିନ୍ନ ସ୍ଥାନରୁ ମୁସଲମାନ ଦେଶର ନେତାମାନେ ଏକାଠି ହୋଇଛନ୍ତି। ଗାଜା ଏବଂ ଲେବାନନ୍ରେ ହୋଇଥିବା ଯୁଦ୍ଧ ବିଷୟରେ ଆଲୋଚନା କରିବାକୁ ଆରବ ଏବଂ ମୁସଲମାନ ଦେଶର ନେତାମାନେ ଏକାଠି ହୋଇଛନ୍ତି।

ସାଉଦି ଗଣମାଧ୍ୟମ କହିଛି ଯେ, ପାଲେଷ୍ଟାଇନ୍ ଏବଂ ଲେବାନନ୍ରେ ଇସ୍ରାଏଲର ଆକ୍ରୋଶ ଆରବ ଏବଂ ଇସଲାମ ନେତାମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରିଛି।
ଏହି ବୈଠକ ଗାଜା ଏବଂ ଲେବାନନ୍ରେ ହୋଇଥିବା ଆକ୍ରମଣ ଉପରେ ଗୁରୁତ୍ବାରୋପ କରାଯାଇଛି। ବୈଠକକୁ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାର୍ତ୍ତା ପଠାଇବାକୁ ଏକ ପ୍ରୟାସ ଭାବରେ ମଧ୍ୟ ଦେଖାଯାଉଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ବୈଠକରେ ଗାଜାରେ ଇସ୍ରାଏଲ୍ ସେନାର କାର୍ଯ୍ୟକୁ ନିନ୍ଦା କରାଯାଇଛି। ଏହାକୁ ବର୍ବର ବୋଲି ବର୍ଣ୍ଣନା କରାଯାଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ବର୍ଷ ଧରି ଚାଲିଆସୁଥିବା ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୪ ହଜାର ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ଅଛନ୍ତି। ଲେବାନନ୍ରେ ମଧ୍ୟ ବହୁ ଧନଜୀବନ ନଷ୍ଟ ହୋଇଛି।
ସୋମବାର ଅନୁଷ୍ଠିତ ଶିଖର ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ମଧ୍ୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସମ୍ପର୍କରେ ଇଣ୍ଟରନ୍ୟାସନାଲ କ୍ରାଏସିସ୍ ଗ୍ରୁପ୍ ଥିଙ୍କ ଟ୍ୟାଙ୍କର ଆନ୍ନା ଜ୍ୟାକବ୍ସ କହିଛନ୍ତି। ଟ୍ରମ୍ପ ପ୍ରଶାସନଠାରୁ ଏସବୁ ଦେଶ କ'ଣ ଚାହୁଁଛନ୍ତି ତାହାର ସଙ୍କେତ ବୈଠକ ମାଧ୍ୟମରେ ଦେବା ପାଇଁ ଏକ ସୁଯୋଗ ଭାବେ ଦେଖାଯାଉଛି। ବୈଠକ ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ଏବଂ ଇସ୍ରାଏଲର ଆକ୍ରମଣ ବନ୍ଦ କରିବାକୁ ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି।
ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଇସ୍ରାଏଲକୁ ଦୃଢ଼ ସମର୍ଥନ କରିଥିଲେ। ସେ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବରେ ମାନ୍ୟତା ପ୍ରଦାନ କରିଥିଲେ ଏବଂ ସେଠାରେ ୱାଶିଂଟନ୍ ଦୂତାବାସକୁ ସ୍ଥାନାନ୍ତର କରିଥିଲେ। ଟ୍ରମ୍ପ ମଧ୍ୟ ଅଧିକୃତ ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର ବସ୍ତିବାସିନ୍ଦାଙ୍କୁ ସମର୍ଥନ କରିଥିଲେ, ଯାହା ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବେଆଇନ ଅଟେ।












Click it and Unblock the Notifications