ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ,ସର୍ତ୍ତରେ ରାଜି ନହେଲେ ଧ୍ବଂସ.....
ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି । ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଗାଜାକୁ ଧ୍ୱଂସାବଶେଷ ପାଉଁଶ ଗଦାରେ ପରିଣତ କରିବାକୁ ଧମକ ଦେଇଛନ୍ତି । ଯାହା ଆଗକୁ ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ଏହି ଚେତାବନୀ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ଇସ୍ରାଏଲ ଗାଜା ସହର ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ।

ଏଥି ସହିତ ସେ ଆହିରି କହିଛନ୍ତି ଯେ, ଯଦି ଗାଜାରେ ଲୁଚି ରହିଥିବା ହମାସ ଏବଂ ଦୁଷ୍କର୍ମକାରୀମାନେ ଇସ୍ରାଏ ସର୍ତ୍ତରେ ରାଜି ନହୁଅନ୍ତି ତେବେ ସେମାନଙ୍କ ପାଇଁ ନର୍କର ଦ୍ବାର ଖୋଲିଯିବ । ଏହା ଛଡ଼ା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଇସ୍ରାଏଲ କେବଳ ଯୁଦ୍ଧବିରତି ପାଇଁ ରାଜି ହେବ । ଯଦି ସମସ୍ତ ଇସ୍ରାଏଲୀ ବନ୍ଧକଙ୍କୁ ନିଃସର୍ତ୍ତ ମୁକ୍ତ କରାଯାଏ ଏବଂ ହମାସକୁ ସମ୍ପୂର୍ଣ୍ଣ ନିରସ୍ତ୍ର କରାଯାଏ। କିନ୍ତୁ ଅନ୍ୟ କୌଣସି ପାଇଁ ଚୁକ୍ତି କରାଯିବ ନାହିଁ ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ସହର କବଜା କରିବାକୁ ସେନାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ସେ କହିଛନ୍ତି ଯେ ହମାସକୁ ପରାସ୍ତ କରିବା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସ ଏକକାଳୀନ ଚାଲିବ। ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆମର ଦୁଇଟି ମୁଖ୍ୟ ଲକ୍ଷ୍ୟ ଅଛି, ହମାସକୁ ପରାସ୍ତ କରିବା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା। ଉଭୟ ପରସ୍ପର ସହିତ ଜଡିତ। ଏହି ଯୋଜନା ଅନୁଯାୟୀ, ଇସ୍ରାଏଲ ଗାଜା ସହରକୁ କବଜା କରିବା ପାଇଁ ପ୍ରାୟ 60,000 ରିଜର୍ଭ ସୈନିକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।
ଇସ୍ରାଏଲର ଏହି ଯୋଜନାକୁ ଦେଶ ଭିତରେ ଏବଂ ବାହାରେ ବିରୋଧ କରାଯାଉଛି। ଅନ୍ତର୍ଜାତୀୟ ସ୍ତରରେ, ଜାତିସଂଘ ଏବଂ ଅନେକ ମାନବାଧିକାର ସଂଗଠନ ଇସ୍ରାଏଲର ଚେତାବନୀ ଏବଂ ଗାଜା ସହର ଉପରେ ସମ୍ଭାବ୍ୟ ଆକ୍ରମଣକୁ ନିନ୍ଦା କରିଛନ୍ତି। କିଛି ଇସ୍ରାଏଲୀ ପରିବାର, ଯାହାଙ୍କ ପ୍ରିୟଜନଙ୍କୁ ବନ୍ଧକ ରଖାଯାଇଛି, ସେମାନେ ଚାହାଁନ୍ତି ଯେ ସରକାର ପ୍ରବଳ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସେମାନଙ୍କ ଜୀବନକୁ ବିପଦରେ ପକାଇବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସେମାନଙ୍କର ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରନ୍ତୁ।












Click it and Unblock the Notifications