ମଧ୍ୟ ପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ଚିନ୍ତାରେ ସାରା ବିଶ୍ଵ
ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ମଧ୍ୟପ୍ରାଚ୍ୟରେ ଅଶାନ୍ତିରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଯୁଦ୍ଧ ଇସ୍ରାଏଲ ଓ ତା'ର ସମର୍ଥକ ଆମେରିକା ଆରମ୍ଭ କରିଛନ୍ତି। ଇସ୍ରାଏଲ-ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ମହାଯୁଦ୍ଧର ରୂପ ନେବା ଏବଂ ବିଶ୍ବଯୁଦ୍ଧରେ ପରିଣତ ହେବା ନେଇ ଆଲୋଚନା ହେଉଛି। ଯେହେତୁ ବିଶ୍ବର ଏକ ମହାଶକ୍ତି ଆମେରିକା ଯୁଦ୍ଧ ଆରମ୍ଭ କରିଛି ଏବଂ ମଧ୍ୟପ୍ରାଚ୍ୟରେ କ୍ଷମତା ପରିବର୍ତ୍ତନ ସହିତ ରାଜନୀତିକ ସମୀକରଣ ବଦଳାଇବାକୁ ଚାହେଁ, ସେ ଦୃଷ୍ଟିରୁ ଏହି ଯୁଦ୍ଧର ଭୟାବହତାକୁ ଅନୁମାନ କରାଯାଇ ପାରେ। ଯୁଦ୍ଧର ଗତି କ'ଣ ହେବ, କେତେଦିନ ଧରି ଚାଲିବ ଏବଂ ପରିଣାମ କ'ଣ ରହିବ, ତାହା ଏବେଠାରୁ କହିହେବ ନାହିଁ; ମାତ୍ର ମଧ୍ୟପ୍ରାଚ୍ୟରେ ଏକ ବଡ ଯୁଦ୍ଧ ଯେ ବିଶ୍ବରେ ଭୟଙ୍କର ବାତାବରଣ ସୃଷ୍ଟି କରିବ, ଏହା ନିଶ୍ଚିତ। ଯେତେବେଳେ ଜେନେଭାରେ ଆମେରିକା ଓ ଇରାନ୍ ପ୍ରତିନିଧିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଥିଲା, ଇରାନ୍ ତା'ର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆମେରିକା କଥାରେ ସମ୍ମତ ହେବାକୁ ପ୍ରାୟ ପ୍ରସ୍ତୁତ ହୋଇଯାଇଥିଲା, ଠିକ୍ ସେହି ସମୟରେ ଅତର୍କିତ ଭାବେ ଇରାନ୍ ଉପରେ ଆକ୍ରମଣର ଆବଶ୍ୟକତା ନ ଥିଲା, ଯାହା ଇସ୍ରାଏଲ-ଆମେରିକା ପକ୍ଷରୁ ମିଳିତଭାବେ କରାଯାଇଛି। ଯେତେବେଳେ ଇସ୍ରାଏଲ ଏବଂ ଆମେରିକାର ଗୁଇନ୍ଦା ତଥ୍ୟ ଖାେମନେଇଙ୍କ ଉପସ୍ଥିତିକୁ ନେଇ ସ୍ପଷ୍ଟ ହୋଇଛି, ସେତେବେଳେ ଟ୍ରମ୍ପ-ନେତନ୍ୟାହୁ କାଳବିଳମ୍ବ ନ କରି ଇରାନ୍ ଉପରେ ଆକ୍ରମଣ କରିଛନ୍ତି।

ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା, ଧର୍ମଗୁରୁ ଆୟାତୋଲ୍ଲା ଅଲ୍ଲୀ ଖାେମନେଇ ଓ ତାଙ୍କ ପରିବାରର କିଛି ସଦସ୍ୟ ନିହତ ହୋଇଥିବା ଜଣାପଡ଼ିଛି। ଖାେମନେଇଙ୍କ ହତ୍ୟାରୁ କେବଳ ମଧ୍ୟପ୍ରାଚ୍ୟ ନୁହେଁ ବିଶ୍ବରେ ଅନେକ ଦେଶରେ କ୍ରୋଧର ନିଆଁ ଜଳୁଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ଏବଂ ପ୍ରମୁଖ ଇସଲାମୀୟ ଦେଶଗୁଡ଼ିକରେ ଖାମେନେଇଙ୍କ ହତ୍ୟାକୁ ଦୃଢ ନିନ୍ଦା କରାଯାଇଥିବାବେଳେ ଜନମତ ଉଗ୍ର ହୋଇଉଠିଛି। ଖାମେନେଇଙ୍କ ପରେ ଇରାନର ସର୍ବୋଚ୍ଚ ନେତା ଭାବରେ ଆୟାତୋଲ୍ଳା ଅଲ୍ଲିରେଜା ଆରାଫି ହୋଇପାରନ୍ତି। ପ୍ରତିଶୋଧ ପ୍ରରାୟଣ ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ଆମେରିକାର ଘାଟି ସହିତ ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରାଯାଇଛି। କାତାର, କୁଏତ, ଜୋର୍ଡାନ, ୟୁଏଇ ଉପରେ ଇରାନର ଭୟଙ୍କର ଆକ୍ରମଣରୁ ବିଶ୍ବବାସୀ ଥରହର ହେଉଛନ୍ତି। ଇରାନ୍ ପକ୍ଷରୁ ଆଗକୁ ରାସାୟନିକ ଅସ୍ତ୍ର ପ୍ରଯୋଗ ହେବାର ଆଶଙ୍କା ପ୍ରକାଶ ପାଇଛି। ଗତବର୍ଷ ମଧ୍ୟ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ଯୁଦ୍ଧ ୧୨ ଦିନ ଚାଲିବା ପରେ ବନ୍ଦ ହୋଇଥିଲା। ଏହି ଆକ୍ରମଣରୁ ଇରାନର ପରମାଣୁ କାର୍ଯ୍ୟକ୍ରମ ଅଟକି ଯାଇଥିଲା। ଆଜି ଇରାନରେ ଅଲି ଖାମେନେଇ ଯୁଗର ଅବସାନ ଘଟିଛି ସତ; ମାତ୍ର ଇରାନରେ କ୍ଷମତା ପରିବର୍ତ୍ତନ କରି ନିଜର ସମର୍ଥକଙ୍କୁ ପୁଣି ଅବସ୍ଥାପିତ କରାଇବାେର ଇସ୍ରାଏଲ ଓ ଆମେରିକାର ଯୋଜନା ସଫଳ ହେବାପରି ଅନୁମାନ କରାଯାଇ ପାରୁନାହିଁ। ତେବେ ଖାମେନେଇଙ୍କୁ ହତ୍ୟା କରି ଆମେରିକା ତାହାର ପ୍ରଥମ ଲକ୍ଷ୍ୟ ପୂରଣ କରିଛି। ସେଠାରେ ଶାସନତନ୍ତ୍ର ପରିବର୍ତ୍ତନ ନ କରିବା ଯାଏ ଟ୍ରମ୍ପ ଓ ନେତନ୍ୟାହୁ ଚୁପ୍ ରହିବେ ନାହିଁ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପ୍ରାୟ ନିଷ୍ପ୍ରଭ ହୋଇଯାଇ ଥିଲାବେଳେ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ମଧ୍ୟ ଗୁରୁତ୍ବ ହରାଇଛି; କିନ୍ତୁ ହର୍ମେଜ ପ୍ରଣାଳୀ ବନ୍ଦହେବା ଏବଂ ଇରାନ ତା'ର ବାୟୁ ସୀମା ବନ୍ଦକରିବା ଫଳରେ ବିଶ୍ବର ଅନେକ ଦେଶର ଆର୍ଥିକ ଅବସ୍ଥା ଖରାପ ହୋଇଯିବ। ଆଶୋଧିତ ତେଲ ତଥା ଅନ୍ୟ ସାମଗ୍ରୀ ପରିବହନ ମୂଲ୍ୟ ବୃଦ୍ଧି ବିଶ୍ବର କୋଟି କୋଟି ଲୋକଙ୍କ ଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇବ। ଉପସାଗରୀୟ ରାଷ୍ଟ୍ରରେ ଥିବା ଭାରତ ସମେତ ଅନେକ ଦେଶର ନାଗରିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ।
ଏହି ଆକ୍ରମଣ ଓ ଯୁଦ୍ଧ ଉପସାଗରୀୟ ଅଞ୍ଚଳରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ନିୟନ୍ତ୍ରିତ ଓ ତୁଷ୍ଟ କୂଟନୀତିର ବିଫଳତା। ଆମେରିକାର ଆକ୍ରମଣ ଦ୍ବାରା ସେଠାରେ ପ୍ରକୃତ ସ୍ଥିରତା ଆସିବ ନାହିଁ। ହୋଇପାରେ ଆୟାତୋଲ୍ଲା ହତ୍ୟା ପରେ ସୃଷ୍ଟ ଯୁଦ୍ଧ ଏକ ପୂର୍ଣ୍ଣାଙ୍ଗ କୂଟନୀତିକ ବ୍ୟବସ୍ଥା ସୃଷ୍ଟି ପାଇଁ ବାଟ ଫିଟାଇପାରେ। ଏଥିରେ ଇରାନ୍ର ନିରାପତ୍ତା ଜନିତ ଆଶଙ୍କା ଆଞ୍ଚଳିକ ସ୍ଥିରତା ରକ୍ଷା ଅଗ୍ରାଧିକାର ପାଇପାରେ। ଇରାନ୍ର ଆଣବିକ କାର୍ଯ୍ୟକ୍ରମ ଏବଂ ଆମେରିକା ବିରୋଧୀ ଆଭିମୁଖ୍ୟ ଏହି ଆକ୍ରମଣର ମୂଳକାରଣ। ତେବେ ଇରାନ ଏତେ ଦୁର୍ବଳ ନୁହେଁ କିମ୍ବା ସେଠାରେ ଆୟାତୋଲ୍ଲାଙ୍କ ଧର୍ମତନ୍ତ୍ରର ଅବସାନ ଘଟି ନାହିଁ। ମୌଳବାଦୀମାନେ ଏବେ ମଧ୍ୟ କ୍ଷମତାରେ ଅଛନ୍ତି। ତେଣୁ ଆମେରିକା ଯଦି ଇରାନର ଆଣବିକ ଘାଟି, ଅସ୍ତ୍ରଭଣ୍ଡାର ଓ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ନଷ୍ଟ କରେ ପରିସ୍ଥିତି ବିଷମ େହାଇପାରେ।












Click it and Unblock the Notifications